Unknown

 

 

 

 

 

 

 

 

 

ଓଡ଼ିଆ ଛାନ୍ଦ-ସାହିତ୍ୟ

ପଣ୍ଡିତ ବିନାୟକ ମିଶ୍ର

 

ଆଭାସ

ଅଧ୍ୟାପକ ପଣ୍ଡିତ ବିନାୟକ ମିଶ୍ର ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ସୁପରିଚିତ । କଲିକତା ବିଶ୍ଵବିଦ୍ୟାଳୟରେ ଅଧ୍ୟାପକରୂପେ ବହୁବର୍ଷ କାର୍ଯ୍ୟ କରି ସେ ଏବେ ଅବସର ଗ୍ରହଣ କରିଛନ୍ତି । ‘ଓଡ଼ିଆ ସାହିତ୍ୟର ଇତିହାସ’ ଓ ‘ଓଡ଼ିଆ ଭାଷାର ଇତିହାସ’ ଲେଖକ ରୂପେ ତାଙ୍କର ଅଖଣ୍ଡ ପ୍ରତିଷ୍ଠା । ଓଡ଼ିଆ ସାହିତ୍ୟର ସମାଲୋଚନା ଓ ଓଡ଼ଶାର ଐତିହାସିକ ଗବେଷଣା ଦିଗରେ ମଧ୍ୟ ତାଙ୍କର ବିଶିଷ୍ଟ ଦାନ ଅବିସମ୍ବାଦିତ ।

ଏଇ ପୁସ୍ତିକାଟିରେ ‘ଓଡ଼ିଆ ଛାନ୍ଦ-ସାହିତ୍ୟ’ ସଂପର୍କରେ ସେ ଆଲୋଚନା କରିଛନ୍ତି । ଓଡ଼ିଆ ପୁରାଣ, ସାହିତ୍ୟ ଓ ପଞ୍ଚସଖା ସାହିତ୍ୟ ପରେ, ଦୀନକୃଷ୍ଣ, ଉପେନ୍ଦ୍ର, ଲୋକନାଥ, ସଦାନନ୍ଦ, ଅଭିମନ୍ୟୁ, ଭକ୍ତଚରଣ, ବ୍ରଜନାଥ, କବିସୂର୍ଯ୍ୟ ପ୍ରମୁଖ କବିମାନେ ନାନା ଛନ୍ଦ-ବନ୍ଧରେ, ଯମକଅନୁପ୍ରାସର ମନୋଜ୍ଞମଣ୍ଡନ ମଧ୍ୟରେ ଯେଉଁ ନବଯୁଗର ପ୍ରତିଷ୍ଠା କରିଗଲେ, ତାହା ଓଡ଼ିଆ ସାହିତ୍ୟର ଇତିହାସରେ ଚିର ରସୋଜ୍ଜଳ ଓ ଚିର ଭାସ୍ଵର ହୋଇ ରହିଛି । ଏବେ ମଧ୍ୟ ଗୋଲୋକ ଓ ନୀଳକଣ୍ଠଙ୍କ ପର୍ଯ୍ୟନ୍ତ ‘ଇନ୍ଦୁରେଖା’ ଓ ‘ସୀତା-ପ୍ରେମ-ତରଙ୍ଗିଣୀ’ ମାଧ୍ୟମରେ ତାହାର ଅଖଣ୍ଡତା ଓ ଧାରାବାହିକତା ରକ୍ଷିତ ।

ଛାନ୍ଦ ସାହିତ୍ୟରେ ଛନ୍ଦ-ସଂପର୍କ, ପ୍ରକାରଭେଦ, ବିଷୟ-ବିନ୍ୟାସକ୍ରମ, ଚରିତ୍ର-ଚିତ୍ରଣ–ପାଟବ, ଅଳଙ୍କାର-ଝଂକୃତି, ଶାବ୍ଦିକ-ଆଡ଼ମ୍ବର ଓ ଏସବୁ ସତ୍ତ୍ଵେ ଛାନ୍ଦ ସାହିତ୍ୟର ବୈଚିତ୍ର୍ୟ ବିହୀନତା ତଥା ବୈଚିତ୍ର୍ୟ-ବିଳାସ ପ୍ରଭୃତିର ପୁଙ୍ଖାନୁପୁଙ୍ଖ ଆଲୋଚନା କରି, ମଧ୍ୟେ ମଧ୍ୟେ ନିଜର ମୌଳିକ ବ୍ୟାଖ୍ୟାନରେ ରସ ସୃଷ୍ଟି କରିବାକୁ ପ୍ରୟାସୀ ହୋଇଛନ୍ତି ।

Image

 

ଓଡ଼ିଆ ଛାନ୍ଦ-ସାହିତ୍ୟ

 

ଓଡ଼ିଆରେ ଏକ ଶ୍ରେଣୀର ପ୍ରାଚୀନ ସାହିତ୍ୟ ଛାନ୍ଦ-କାବ୍ୟ ନାମରେ ପରିଚିତ । ବେଦ ଅନୁସାରେ ସୃଷ୍ଟିର ଶୃଙ୍ଖଳା (ଋତଂ), ପଦାର୍ଥ ଓ ସେମାନଙ୍କ ନାମ ତପସ୍ୟାରୁ ଜାତ ହେଲା । ତହିଁ ଉତ୍ତାରୁ ରାତ୍ରି, ସମୁଦ୍ର ପ୍ରଭୁତି ଜାତ ହେଲେ । ଏମାନଙ୍କୁ ଧାତା ଯେପରି ପୂର୍ବରୁ କଳ୍ପନା କରିଥିଲେ, ସେପରି ସେମାନେ ସୃଷ୍ଟ ହେଲେ । * ଏଣୁ ଜେମିନି ପୂର୍ବ-ମୀମାଂସାରେ କହି ଅଛନ୍ତି ଯେ, ପଦାର୍ଥ ଓ ସେମାନଙ୍କ ନାମ ଈଶ୍ୱରଙ୍କ କଳ୍ପନା–ପ୍ରସୂତ ହୋଇ ଥିବାରୁ ସେ ସବୁ ନିତ୍ୟ । ଅନ୍ୟାନ୍ୟ ହିନ୍ଦୁ-ଦର୍ଶନରେ ମଧ୍ୟ ଭୌତିକ ପରିବର୍ତ୍ତନ ଭିତରେ ନିତ୍ୟତାର ଅସ୍ତିତ୍ଵ ସ୍ଵୀକାର କରାଯାଏ । କିନ୍ତୁ ବୌଦ୍ଧମାନେ ନାମ ଓ ରୂପର ଅସ୍ତିତ୍ଵ ସ୍ଵୀକାର କରନ୍ତି ନାହିଁ । ସେମାନଙ୍କ ମତରେ ବସ୍ତୁରୂପରେ ଯାହା ଦେଖାଯାଏ, ସେ ସବୁ ଶୂନ୍ୟ ଓ ଅଜ୍ଞାନରେ ପରିଚାଳିତ ମନୁଷ୍ୟ ନିଜ କଳ୍ପନାରେ ବସ୍ତୁମାନଙ୍କର ନାମକରଣ କରିଅଛି । ଆଧୁନିକ ବିଜ୍ଞାନବାଦ ଅନୁସାରେ ବିକାଶ-ପ୍ରଣାଳୀରେ ପଦାର୍ଥମାନଙ୍କର ଉତ୍ପତ୍ତି ଘଟିବା ଉତ୍ତାରୁ ମନୁଷ୍ୟ ସେମାନଙ୍କର ନାମକରଣ କରିଅଛି ।

 

* ଋତଂ ଚ ସତ୍ୟଂ ଚାଭିଦ୍ଧାତ୍ତପସୋଧ୍ୟଜାୟତ × × ଧାତାଯଥା ପୂର୍ବମକଳ୍ପୟତ୍ ।

 

ଆମେ ଆଲୋଚନା କଲେ ଜାଣିପାରୁ ଯେ, ଆଗେ ପଦାର୍ଥମାନଙ୍କର ଉତ୍ପତ୍ତି ଓ ପଛେ ସେମାନଙ୍କ ନାମକରଣ ହୋଇଅଛି । ସେଥିପାଇଁ କାବ୍ୟର ଲକ୍ଷଣ ନିର୍ଦ୍ଦେଶ କରିବାରେ ଆମ ଦେଶର ପ୍ରାଚୀନ ସଂସ୍କୃତ-ଅଳଙ୍କାର-ଶାସ୍ତ୍ର-ପ୍ରଣେତାମାନଙ୍କ ମଧ୍ୟରେ ମତଭେଦ ଘଟିଅଛି । ‘ଧ୍ଵନ୍ୟାଲୋକ’ ଅନୁସାରେ କାବ୍ୟ ହେଉଛି ‘ଧ୍ଵନ୍ୟାତ୍ମକଂ ବାକ୍ୟମ୍’ । କାବ୍ୟାଦର୍ଶରେ ଦଣ୍ଡୀ କହନ୍ତି, “ଇଷ୍ଟାର୍ଥବ୍ୟବଚ୍ଛିନ୍ନା ପଦାବଳୀ କାବ୍ୟମ୍” । ‘କାବ୍ୟ-ଦୀପିକା’ରେ ‘ଇଷ୍ଟ’ ପଦର ‘‘ଅଲୌକିକ ଚମତ୍କାରିତ୍ଵେନ ସହୃଦୟ ମନୋରମଂ ଲୋକୋତ୍ତର ଚମତ୍କାରିତୟା ସହୃଦୟ ହୃଦୟାକର୍ଷି ବାକ୍ୟଂ କାବ୍ୟମ୍’’, ଏହି ଅର୍ଥ ଦିଆଯାଇଅଛି । ‘ସାହିତ୍ୟ-ଦର୍ପଣ’ ଅନୁସାରେ “ବାକ୍ୟଂ ରସାତ୍ମଳଂ କାବ୍ୟମ୍-।” ପାଶ୍ଚାତ୍ୟ ସାହିତ୍ୟ ସମାଲୋଚକମାନେ ମଧ୍ୟ ସାହିତ୍ୟର ବିଭିନ୍ନ ଲକ୍ଷଣ ନିର୍ଦ୍ଦେଶ କରି ଅଛନ୍ତି । ବିଭିନ୍ନ ସମାଲୋଚକ ନିର୍ଦ୍ଦେଶ କରିଥିବା ମତ ଉଦ୍ଧାର କଲେ ବିଶାଳ ଗ୍ରନ୍ଥ ହୋଇଯିବ । ସଂସ୍କୃତରେ ସାହିତ୍ୟକୁ କାବ୍ୟ କୁହାଯାଇଅଛି । ସେଥିପାଇଁ ‘ସାହିତ୍ୟ-ଦର୍ପଣ’ରେ ମହାକାବ୍ୟ, ଖଣ୍ଡକାବ୍ୟ ଓ ଚମ୍ପୂର ପୃଥକ୍ ପୃଥକ୍ ଲକ୍ଷଣ ନିର୍ଦ୍ଦେଶ କରିବାଦ୍ଵାରା କାବ୍ୟର ଶ୍ରେଣୀ-ବିଭାଗ ହୋଇଅଛି । ବିଭିନ୍ନ କାବ୍ୟମାନଙ୍କ ଲକ୍ଷଣ-ପାର୍ଥକ୍ୟର ପ୍ରଧାନ କରାଣ ଏହି ଯେ, ବିଭିନ୍ନ କବି ବିଭିନ୍ନ ସମୟରେ ବିଭିନ୍ନ କାବ୍ୟ ରଚନା କରି ଯାଇଥାନ୍ତି ଓ ପରବର୍ତ୍ତୀ ଯୁଗରେ ସମାଲୋଚକମାନେ ସେଗୁଡ଼ିକୁ ପାଠକମାନଙ୍କ ସ୍ମୃତି-କୋଷରେ ସହଜରେ ସଞ୍ଚିତ କରିବାପାଇଁ ଶ୍ରେଣୀ-ବିଭାଗ କରନ୍ତି । କିନ୍ତୁ ଯେପରି ଭାଷାର ଉତ୍ପତ୍ତି ଆଗେ, ତାହାର ବ୍ୟାକରଣ ବା ଶ୍ରେଣୀବିଭାଗ ପଛେ, ସେପରି ସାହିତ୍ୟରେ ମଧ୍ୟ ।

 

ପ୍ରଥମେ ପଦ୍ୟ-ରଚନାରୁ ସବୁ ଦେଶରେ ସବୁ ଯୁଗରେ ସାହିତ୍ୟର ଉତ୍ପତ୍ତି ଘଟିଅଛି । ଶୋକ ଆନନ୍ଦ ପ୍ରଭୃତି କୌଣସି ଭାବରେ ମନୁଷ୍ୟ ବିହ୍ଵଳ ହୋଇ ପଡ଼ିଲେ ତାହାର ହୃଦୟରେ ଯେଉଁ ରସର ଆବେଗ ଉପୁଜେ, ତାହା ସ୍ଵତଃ ପଦ୍ୟାକାରରେ ଉଛୁଳି ପଡ଼େ । କିନ୍ତୁ ଯାହାର ଭାଷା ନ ଥାଏ ସେ ଅଙ୍ଗ ପ୍ରତ୍ୟଙ୍ଗର ଚାଳନାରେ ରସାବେଗ ଅଭିବ୍ୟକ୍ତ କରେ । ଯାହାର ଭାଷାରେ ଅଭିବ୍ୟକ୍ତ ହୁଏ ତାହାର ମଧ୍ୟ ଅଙ୍ଗ ପ୍ରତ୍ୟଙ୍ଗର ଚାଳନା ହୋଇ ପାରେ । ଏଣୁ ପିଲାମାନେ ଖେଳି ନାଚିବାବେଳେ ଗୀତ ଗାଇଥାନ୍ତି ଓ ସନ୍ତାନହରା ମାତା କାନ୍ଦିବାବେଳେ ଛାତିରେ ହାତ ମାରିବା ପ୍ରଭୃତିରେ ଅଙ୍ଗ-ପ୍ରତ୍ୟଙ୍ଗର ଚାଳନା ଦେଖାଯାଏ । ରସର ଆବେଗରେ ମନୁଷ୍ୟ ମୁଖରୁ ଯେଉଁ ବାକ୍ୟ ନିର୍ଗତ ହୁଏ କିମ୍ବା ତାହାର ଅଙ୍ଗ ପ୍ରତ୍ୟଙ୍ଗର ଚାଳନା ଘଟେ ତାହା ମନୁଷ୍ୟର ସାଧାରଣ ସ୍ଵଭାବରୁ ବହିର୍ଭୂତ ଅଟେ । ଏହି ଅଙ୍ଗ ପ୍ରତ୍ୟଙ୍ଗର ଚାଳନାକୁ ନୃତ୍ୟ ଓ ବାକ୍ୟର ନିର୍ଗମନକୁ ଛନ୍ଦ କହନ୍ତି । ଏଣୁ ଛନ୍ଦ ‘ବାକ୍ୟର ନୃତ୍ୟ’ ବୋଲି କହିବାକୁ ହେବ ।

ବୁଦ୍ଧିର ବିକାଶ ସଙ୍ଗେ ସଙ୍ଗେ ମନୁଷ୍ୟ ବିଭିନ୍ନ ପଦାର୍ଥକୁ ବିଶ୍ଳେଷଣ ଓ ସଂଶ୍ଳେଷଣ କରିବାରେ ଅଗ୍ରସର ହେଉଅଛି । ଏହାକୁ ବିଜ୍ଞାନ କହନ୍ତି । ଯେଉଁ ଜାତି ବିଜ୍ଞାନର ଯେତେ ଆଲୋଚନା କରେ, ସେ ତେତେ ଉନ୍ନତ ବିବେଚିତ ହୁଏ । ଛନ୍ଦକୁ ବିଶ୍ଳେଷଣ କରି ତହିଁରୁ ‘ରାଗ’ ନାମକ ସ୍ଵରନୃତ୍ୟ ଆବିଷ୍କାର କରାଯାଇଅଛି । ଏହା ସୂକ୍ଷ୍ମକଳା ଶ୍ରେଣୀର ଅନ୍ତର୍ଗତ ଅଟେ । ଛନ୍ଦ ଅନୁସାରେ ପାଠ କଲାବେଳେ ଯେଉଁ ଶ୍ରୋତା କବିତାର ରସରେ ବୁଡ଼ି ନ ପାରେ, ରାଗ ଅନୁସାରେ ଗାଇଲେ ସେହି ସ୍ରୋତା ରସରେ ତରଳି ଯାଏ । ଏହା ଭାଷା-ଚାତୁରୀ ଉପରେ ନିର୍ଭର ନ କରି ସ୍ୱର-ମାଧୁରୀର ସୃଷ୍ଟି ଉପରେ ନିର୍ଭର କରେ । ଏହାକୁ ସଙ୍ଗୀତ କହନ୍ତି ଓ ରାଗ ସଙ୍ଗୀତ ସହିତ ସଂଶ୍ଳିଷ୍ଟ ଅଟେ । ଭାଷା ନ ବୁଝିଲେ ମଧ୍ୟ ନାଗସାପ ମନୁଷ୍ୟର ସଙ୍ଗୀତ ପ୍ରତି ଆକୃଷ୍ଟ ହୁଏ ।

ସାଧାରଣ କଥାରେ ବାକ୍ୟ ଆରମ୍ଭ କରି କଥକ ବାକ୍ୟ ଶେଷରେ ପୂର୍ଣ୍ଣ ବିରାମ ନିଏ ବା ନିଶ୍ୱାସ ପ୍ରଶ୍ୱାସର କ୍ରିୟାପାଇଁ ପୂର୍ଣ୍ଣ ଅବସର ପାଏ । କିନ୍ତୁ ପଦ୍ୟ-ପାଠରେ ବିରାମର ସ୍ଥାନ ଭିନ୍ନ ପ୍ରକାରର ଅଟେ । ଏଥିରେ ଗୋଟିଏ ପଦର ଶେଷରେ ପୂର୍ଣ୍ଣ ବିରାମ ନିଆ ଯାଏ ଓ ପଦ ମଧ୍ୟରେ ବହୁ ସ୍ଥାନରେ ଅଳ୍ପ ଅଳ୍ପ ବିରାମ ନିଆ ଯାଇପାରେ । ଏହି ବିରାମକୁ ଯତି କହନ୍ତି । ଯତି ସ୍ଥାନ, ପର୍ବ ବା ଚରଣର ଶେଷରେ ନିର୍ଦ୍ଦିଷ୍ଟ ହୁଏ । ଏକ ବା ପରସ୍ପର ଅର୍ଥ-ସଂଶ୍ଳିଷ୍ଟ ଅଧିକ ଶବ୍ଦ-ପୁଞ୍ଜ ଘେନି ପର୍ବ ଓ କେତୋଟି ପର୍ବ ଘେନି ଗୋଟିଏ ଚରଣ ସୃଷ୍ଟ ହୋଇଥାଏ । ଏକାଧିକ ଚରଣର ସମବାୟରେ ଗୋଟିଏ ପଦ ହୁଏ । ଗୋଟିଏ ଗୋଟିଏ କ୍ଷୁଦ୍ର କ୍ଷୁଦ୍ର ବାକ୍ୟ ମଧ୍ୟ ପର୍ବ ରୂପରେ ଗୋଟିଏ ଗୋଟିଏ ଚରଣରେ ବ୍ୟବହୁତ ହୋଇପାରେ । ଏଣୁ ଏକ ଚରଣରେ ଏକାଧିକ ବାକ୍ୟ ଥାଇ ପାରେ, ଯଥା:-“ଖେଳ ସରିଲା, ବେଲ ବୁଡ଼ିଲା; ଚଟିଆ ମୁହଁରେ ନିଆ ପଡ଼ିଲା ।” ରସର ଆବେଶ ଅନୁସାରେ ପର୍ବମାନଙ୍କ ବର୍ଣ୍ଣସଂଖ୍ୟ ଓ ଚରଣମାନଙ୍କ ପର୍ବସଂଖ୍ୟା ସ୍ଵତଃ ନିରୂପିତ ହୋଇ ଥାଏ । ପର୍ବମାନଙ୍କ ବର୍ଣ୍ଣ-ସଂଖ୍ୟା ବିଭିନ୍ନ ହେଲେ ଛନ୍ଦ ବିଭିନ୍ନ ହୁଏ । ସେଥିପାଇଁ ‘ପିଙ୍ଗଳ ଛନ୍ଦ ସୂତ୍ର’ରେ କୁହା ଯାଇଅଛି ଯେ, “ତତ୍ସବିତୁର୍ବରେଣ୍ୟଂ” ପାଠ କଲେ ସପ୍ତାକ୍ଷରୀ ‘ଗାୟତ୍ରୀ’ ଓ “ତତ୍ସବିତୁର୍ବରେଣୀୟଂ” ପାଠ କହେ ଅଷ୍ଟାକ୍ଷରୀ ‘ଅନୁଷ୍ଟୁଭ’ ଛନ୍ଦ ହୁଏ । କିନ୍ତୁ ବର୍ଣ୍ଣସଂଖ୍ୟା ଓ ପର୍ବସଂଖ୍ୟା ବିଭିନ୍ନ ନୋହି ରାଗ ବିଭିନ୍ନ ହୁଏ । ସେଥିପାଇଁ ଏକ ଚତୁର୍ଦ୍ଦଶାକ୍ଷରୀ ଓ ଦ୍ଵିପର୍ବା ଛନ୍ଦ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ବିଭିନ୍ନ ରାଗରେ ଗାଇବା ପାଇଁ ନିର୍ଦ୍ଦେଶିତ ହୋଇଅଛି, ଯାଥା :–

(ରାଗ–କଳସା)

୧.

“ଆନନ୍ଦ କୋବିଦେ ପିଅ ଏ ରସ ଶ୍ରବଣେ,

 

ଆଦିକନ୍ଦ-ଶ୍ରୀରାଧିକା–ଶ୍ରୀନାମ ଶ୍ରବଣେ ”। (ବି.ଚି)

(ରାଗ-ଭୈରବ)

୨.

“ଏଥୁ ଅନ୍ତେ ଦେଖେ ବୀର ହୋଇଲା ବରଷା

 

ବିଚାର କରଇ ଥିଲା ଏମନ୍ତ ଭାରସା ।” (ଲା:ବ:)

 

ଉଦ୍ଧୃତ ଉଦାହରଣ ଦ୍ଵୟରେ ପ୍ରଥମ ପଦର ପ୍ରଥମ ପର୍ବରେ ଆଠୋଟି ଓ ଦ୍ଵିତୀୟ ପର୍ବରେ ଛ’ଟି ବର୍ଣ୍ଣ ଯେପରି ଅଛି ଦ୍ଵିତୀୟ ପଦରେ ସେପରି ଅଛି । କିନ୍ତୁ ପ୍ରଥମ ପଦକୁ କଳସା-ରାଗରେ ଓ ଦ୍ଵିତୀୟ ପଦକୁ ଭୈରବ-ରାଗରେ ଗାଇବା ପାଇଁ ନିର୍ଦ୍ଦେଶ କରାଯାଇ ଅଛି । ଏହିପରି ବିଭିନ୍ନ ଛନ୍ଦର ଛାନ୍ଦମାନଙ୍କୁ ଏକ ନଳିନୀ ଗୌଡ଼ା–ରାଗରେ ଗାଇବା ପାଇଁ ନିର୍ଦ୍ଦେଶ କରା ଯାଇଅଛି, ଯଥା :–

 

୧.

“ଜୟ ଜୟ ଜୟ ରାମ ଜନକ-ସୁଖଦ,

 

ଭୀମ ହରଷ ଦାନରେ ସଦା-ବିଶାରଦ ।” (ଲା: ବ:)

୨.

ବୁଧେ ଶୁଣ ଏକ ଲୟେ,

 

ବାତ-ସୁତ ସୁବଳୟେ । (ବୈ: ବି:)

 

ଏଠାରେ ଚତୁର୍ଦ୍ଦଶାକ୍ଷରୀ ଓ ଦ୍ଵିପର୍ବା ଛନ୍ଦକୁ ଏବଂ ଅଷ୍ଟାକ୍ଷରୀ ଓ ଦ୍ଵିପର୍ବା ଛନ୍ଦକୁ ଏକ ନଳିନୀଗୌଡ଼ା ରାଗରେ ଗାଇବାର କି କୌଶଳ ଅଛି ? ସଙ୍ଗୀତଜ୍ଞମାନେ କହିବେ ଯେ ରାଗର ପରିଚୟ ଧ୍ଵନି-ପରିମାପରୁ (Sound scale) ମିଳେ–ବର୍ଣ୍ଣ-ସଂଖ୍ୟାରୁ ମିଳେ ନାହିଁ । ଏକ କବିତାର ଏକ ପଦର ଏକ ଚରଣକୁ ବାଇଶି ଶ୍ରୁତିରେ ଗାଇଲେ ଏକ ପ୍ରକାର ରାଗର ଓ ତାହାକୁ ଏକୋଇଶି ଶ୍ରୁତିରେ ଗାଇଲେ ଅନ୍ୟ ପ୍ରକାର ରାଗର ସୃଷ୍ଟି ହୁଏ । ଶ୍ରୁତିକୁ ବଢ଼ାଇବା ଓ କମାଇବା କ୍ଷମତା ଗାୟକର ଅଛି । ଶ୍ରୁତିମାନଙ୍କର ମଧ୍ୟ ଗୋଟିଏ ଶୃଙ୍ଖଳା ଅଛି । ଏହି ଶୃଙ୍ଖଳାକୁ ଭାଙ୍ଗି ଗଢ଼ି ବଦଳାଇଲେ ରାଗିଣୀ ମାନଙ୍କର ସୃଷ୍ଟି ଘଟେ । ଯାହା ହେଉ, ‘ଛନ୍ଦ’ ଓ ‘ରାଗ’ ମଧ୍ୟରେ ଥିବା ପ୍ରଭେଦ ପାଠକମାନେ ବର୍ତ୍ତମାନ ବୁଝିପାରୁ ଥିବେ ।

 

ସଂସ୍କୃତ କାବ୍ୟମାନଙ୍କରେ ଛନ୍ଦକୁ ‘ବୃତ୍ତ’ କୁହା ଯାଇ-ଅଛି । କିନ୍ତୁ ବୃତ୍ତମାନଙ୍କର ଲକ୍ଷଣମାନ ଯହିଁରେ ନିର୍ଦ୍ଦେଶ କରାଯାଇ ଅଛି, ତାହାକୁ ମଧ୍ୟ ‘ଛନ୍ଦୋମଞ୍ଜରୀ’ କୁହା ଯାଇଛି । ଏଣୁ ଛନ୍ଦ ଓ ବୃତ୍ତ ମଧ୍ୟରେ କୌଣସି ଅର୍ଥଗତ ପ୍ରଭେଦ ଥିବାର ପ୍ରତୀତ ହୁଏ ନାହିଁ । ବୈଦିକ ଛନ୍ଦର ବିକାଶ ଘଟିବାରୁ ତାହା ସୂଚାଇବା ପାଇଁ ‘ଛନ୍ଦ’ ବଦଳରେ ‘ବୃତ୍ତ’ ନାମ ବ୍ୟବହୁତ ହୋଇ ଥିବାର ଅନୁମିତ ହୁଏ ।

 

ପ୍ରତ୍ୟେକ ସଂସ୍କୃତ କାବ୍ୟ ସର୍ଗମାନଙ୍କର ବିଭକ୍ତ । ପ୍ରତ୍ୟେକ ସର୍ଗ ଏକ ବା ତତୋଧିକ ବୃତ୍ତରେ ରଚିତ ହୁଏ । ଏଣୁ ସଂସ୍କୃତ କାବ୍ୟକୁ ସର୍ଗବନ୍ଧ କହନ୍ତି । ଆମ ଓଡ଼ଆ କାବ୍ୟକୁ ‘ଛନ୍ଦବନ୍ଦୀ’ ମଧ୍ୟ କହନ୍ତି କାରଣ ଓଡିଆ କାବ୍ୟ ଛାନ୍ଦମାନଙ୍କରେ ବିଭକ୍ତ । ଉତ୍ତର-ରାମଚରିତରେ ଉଲ୍ଲେଖ ଅଛି,

 

“ସ ତୁ କୁଳପତିରାଦ୍ୟଚ୍ଛନ୍ଦସାଂଯଃ ପ୍ରୟୋକ୍ତା ।”

 

ଏଥିରୁ ଅନୁମିତ ହୁଏ ଯେ, ଭାରତରେ ପ୍ରଥମେ ଛନ୍ଦରେ ରଚନାର ଆରମ୍ଭ ଘଟିଥିଲା । ବେଦକୁ ମଧ୍ୟ ‘ଛନ୍ଦସ୍’ କହୁଥିଲେ । ଏଣୁ ଛନ୍ଦରେ ରଚିତ ଓ ଛାନ୍ଦମାନଙ୍କରେ ବିଭାକ୍ତ ଓଡ଼ିଆ କାବ୍ୟକୁ ଛାନ୍ଦ-କାବ୍ୟ କହିବା ବିଚିତ୍ର ନୁହେ । କିନ୍ତୁ କେତେ ବର୍ଷତଳେ ପଣ୍ଡିତ ବାନାମ୍ବର ଆଚାର୍ଯ୍ୟ ‘ନବଭାରତ’ ପତ୍ରିକାରେ ଲେଖିଥିଲେ ଯେ, ପ୍ରାକୃତ କାବ୍ୟକୁ ‘ସ୍କନ୍ଧ’ କୁହାଯାଇଥିବାରୁ ‘ଛାନ୍ଦ’ ଏହି ‘ସ୍କନ୍ଧ’ରୁ ରୂପାନ୍ତରିତ ହୋଇଥିବ । ଧ୍ୱନିତତ୍ତ୍ଵ ଅନୁସାରେ ‘ସ୍କନ୍ଧ’ ଶବ୍ଦର ଏପରି ପରିବର୍ତ୍ତନ ଘଟିବା ସମ୍ଭବପର ବୋଲି ସେ କୌଣସି ପ୍ରମାଣ ଦେଖାଇ ନାହାନ୍ତି । ଏଣୁ ତାହା ଗ୍ରହଣୀୟ ହୋଇ ନପାରେ ।

 

ଓଡ଼ଆ ଛାନ୍ଦ-କାବ୍ୟର ପରିଚୟ ଜାଣିବାକୁ ହେଲେ ସଂସ୍ମୃତ ମହାକାବ୍ୟ ଓ ଖଣ୍ଡକାବ୍ୟମାନଙ୍କ ଲକ୍ଷଣମାନ ଜାଣିବା ଉଚିତ । ସାହିତ୍ୟ-ଦର୍ପଣ ଅନୁସାରେ ଯେଉଁ କାବ୍ୟରେ ସର୍ଗ-ସଂଖ୍ୟା ଆଠରୁ ଅଧିକ ହୋଇଥାଏ ତାହାକୁ ମହାକାବ୍ୟ (ଓ ତହିଁରୁ ଊଣା ହୋଇଥିଲେ ତାହାକୁ ଖଣ୍ଡକାବ୍ୟ କହନ୍ତି । କାବ୍ୟର ଆରମ୍ଭରେ ଆଶୀର୍ବାଦ ବା ନମସ୍କାର ବା ବସ୍ତୁନିର୍ଦ୍ଦେଶ କରାଯିବ । ଏଥିରେ ଐତିହାସିକ ବା କାଳ୍ପନିକ ଗଳ୍ପ ବର୍ଣ୍ଣିତ ହୋଇପାରେ । କାବ୍ୟରେ ନଗର, ସାଗର, ଶୈଳ, ଚନ୍ଦ୍ର, ସୂର୍ଯ୍ୟ ପ୍ରଭୃତିର ବର୍ଣ୍ଣନା ଥିବା ଆବଶ୍ୟକ । ନାୟକର ଦୃଢ଼ତତ୍ଵ, କ୍ଷମାଶୀଳତା, ଗାମ୍ଭୀର୍ଯ୍ୟ-ଶଳିତା, ଆତ୍ମଶ୍ଳାଘାଶୂନ୍ୟତା, ବିନୟ, ହର୍ଷ ଓ ଶୋକରେ ଅବିଚଳିତତା ଏବଂ ଧର୍ମ, ଅର୍ଥ, କାମ ବା ମୋକ୍ଷ ଫୁଟାଇବାକୁ ହେବ । ବର୍ଣ୍ଣନାରେ ରସର ପ୍ରସ୍ରବଣ ଉଛୁଳୁଥିବ । ସ୍ଥୂଳରେ, ଏହା କୁହାଯାଇପାରେ ଯେ, ଏଥିରୁ ପାଠକ ଜ୍ଞାନ ଓ କର୍ମର ଆଦର୍ଶ ଲାଭ କରିପାରିବେ । କିନ୍ତୁ ଖଣ୍ଡକାବ୍ୟ ନାୟକ-ଜୀବନର କୌଣସି ଗୋଟିଏ ଘଟନାରେ ସୀମାବଦ୍ଧ । ରାମାୟଣ ମହାକାବ୍ୟ ଅଟେ । ଉପେନ୍ଦ୍ର ଭଞ୍ଚ ରାମାୟଣ ଅନୁସାରେ ବୈଦେହୀଶବିଳାସ ରଚନା କରିଥିବାରୁ ଏହାକୁ ମହାକାବ୍ୟ କୁହାଯିବ । ଏଥିରେ “ସର୍ଗୈରନତି ବିସ୍ତୀର୍ଣ୍ଣୈଃ” ହେବା ଉଚିତ ।

 

ଯାହା ଦେଖିବ ବା ଶୁଣିବ, ତାହା ଅନ୍ୟ ବ୍ୟକ୍ତି ନିକଟରେ ପ୍ରକାଶ କରିବାପାଇଁ ମନୁଷ୍ୟର ପ୍ରବୃତ୍ତି ଜନ୍ମିବ । ବାଳକ ଅନ୍ୟର ଲୁଗା-ପିନ୍ଧା ଦେଖି ନିଜେ ଲୁଗା ପିନ୍ଧିବାକୁ ଯତ୍ନ କଲେ ସେପରି ଯତ୍ନକୁ ଅନୁକରଣ କହନ୍ତି । ଶିଳ୍ପୀ ଗୋଟିଏ ରୂପ ବା ଘଟନା ଦେଖି ତାହାକୁ କାଠ ମାଟି, ପଥରରେ ବା ରଙ୍ଗରେ ବା ଭାଷାରେ ପ୍ରକାଶ କରିବା ସେପରି ଏକ ଅନୁକରଣ । ଯାହା କରା ହୋଇଅଛି, ତା’କୁ ପୁଣି ପଛେ କରିବା ହେଉଛି ଅନୁକରଣ । ଲେସିଙ୍ଗ୍ କହନ୍ତି, “କଳାବିଦ୍ୟା ଅନୁକରଣ ଅଟେ” (Art is imitation) । ପ୍ରାକୃତିକ କର୍ମ-ଫଳକୁ ଅନୁକରଣ କରି ଶିଳ୍ପୀ ତାହାକୁ ଅଭିନବ ରୂପ-ରେଖ ଦିଏ । ଶିଳ୍ପୀ ପଦ୍ମଫୁଲ ଦେଖିଲା । ମାଟି, ରଙ୍ଗ ବା ଭାଷା ସାହାଯ୍ୟରେ ସେ ତାହାକୁ ରୂପ-ରେଖ ଦେଇ ଅନ୍ୟ ନିକଟରେ ଥୋଇଲା । ଏହି ଅନୁକରଣକୁ କଳାବିଦ୍ୟା କହନ୍ତି । ଏଥିରେ ଶିଳ୍ପୀର ସ୍ଵାଧୀନତା ବ୍ୟବହୃତ ହୁଏ । ଶିଳ୍ପୀ କୌଣସି ବିଧିର ଅଧୀନ ହୁଏ ନାହିଁ । ଶିକ୍ଷାର୍ଥୀଙ୍କ ପାଇଁ ବିଧିର ପ୍ରୟୋଜନ ଅଛି । ସିଦ୍ଧିଲାଭ କରିଥବା ବ୍ୟକ୍ତି ପାଇଁ ବିଧିର କଟକଣା ନାହିଁ । ରସର ପ୍ରସ୍ରବଣ ଥିଲେ ଓ ପଢ଼ିବା ପାଇଁ ପାଠକର ଉତ୍ତରୋତ୍ତର ଆଗ୍ରହ ବଢ଼ୁଥିଲେ ମହାକାବ୍ୟରେ ସର୍ଗସଂଖ୍ୟା ବତିଶରୁ ଊର୍ଦ୍ଧ୍ଵ ହେଲେ କ୍ଷତି ନାହିଁ ।

 

ପୌରାଣିକ ଓ କାଳ୍ପନିକ ଭେଦରେ ଓଡ଼ିଆ ଛାନ୍ଦ-କାବ୍ୟ ପ୍ରଧାନତଃ ଦୁଇ ଶ୍ରେଣୀରେ ବିଭକ୍ତ ହୁଏ । କିନ୍ତୁ କୌଣସି ଶ୍ରେଣୀର କାବ୍ୟରେ ନାୟକର ଚରିତ୍ରରେ ଜ୍ଞାନ ଓ କର୍ମର ଆଦର୍ଶ ଲକ୍ଷିତ ହୁଏ ନାହିଁ । ପ୍ରତ୍ୟେକ ନାୟକଙ୍କ ଚିନ୍ତା କେବଳ ପ୍ରେମ-ସଙ୍ଗିନୀ-ଲାଭରେ ପର୍ଯ୍ୟବସିତ ହୋଇଅଛି । ଏହା ବିଶେଷ ନିନ୍ଦାର କଥା ନୁହେ । ପୃଥିବୀରେ କୌଣସି ଜାତିର ସାହିତ୍ୟ ଆଦି ରସର ପ୍ରଭାବରୁ ମୁକ୍ତ ନୁହେ । ସାହିତ୍ୟ ସୃଷ୍ଟି କରିବା ମନୁଷ୍ୟର ଗୋଟିଏ ପ୍ରବୃତ୍ତି । ପ୍ରଜା ସୃଷ୍ଟିକରି ସୃଷ୍ଟିର ଧାରାବାହିକତା ରକ୍ଷା କରିବା ସବୁ ଜୀବଠାରେ ବଳବତୀ । ପ୍ରବୃତ୍ତିର ଚିତ୍ର ସାହିତ୍ୟରେ ସମାବେଶ କରାଯାଉ ଥିବାରୁ ବଳବତୀଆଦି-ରସର ପ୍ରବୃତ୍ତି ସାହିତ୍ୟରେ ପ୍ରଧାନ ସ୍ଥାନ ଲାଭ କରେ-। କିନ୍ତୁ ପ୍ରବୃତ୍ତି ସଂକ୍ଷତ ନହୋଇ ସୀମା ଲଙ୍ଘନ କଲେ ସୃଷ୍ଟି ବଳରେ ପ୍ରଳୟ ଘଟେ ।

 

ସମାଜତତ୍ତ୍ଵବିଦ୍‍ଗଣ କହନ୍ତି ଯେ, ଆଦିମ ଯୁଗରେ ନରନାରୀଙ୍କ ମଧ୍ୟରେ ବୈବାହିକ ବନ୍ଧନ ପ୍ରଚଳିତ ନ ଥିଲା । ସେମାନେ ଯଥେଚ୍ଛାଚାର ମୈଥୁନରେ ରତ ଥିଲେ । ଆମ ପ୍ରଚୀନ ଶାସ୍ତ୍ରମାନଙ୍କରୁ ସେପରି ଅବସ୍ଥାର ସୂଚନା ମଧ୍ୟ ମିଳେ । ପୁରାଣମାନଙ୍କ ମଧ୍ୟରେ ପ୍ରାଚୀନତମ ବିବେଚିତ ହେଉଥିବା ରାମାୟଣରେ ବାଲ୍ଲୀକି ରାମାଙ୍କୁ କହୁ ଅଛନ୍ତି–

 

‘‘ଏଷା ପ୍ରକୃତିଃ ନାରୀଣାମାସୃଷ୍ଟେ ରଘୁନନ୍ଦନ ।

ସମସ୍ଥମନୁରଜ୍ୟନ୍ତେ ବିଷମସ୍ଥଂ ତ୍ୟଜନ୍ତି ଚ (୩ୟ,୧୩,୬) ।

 

“ପୁରୁଷ ଭଲରେ ଥିବା ପର୍ଯ୍ୟନ୍ତ ସ୍ତ୍ରୀ ପୁରୁଷ ପାଖରେ ରହେ; ଅବସ୍ଥା ଖରାପ ହେଲେ ତାହାକୁ ତ୍ୟାଗ କରେ ।” ଏଠାରେ ଏତିକି କୁହାଯାଇଅଛି । କିନ୍ତୁ ବନଗମନ କାଳରେ କୌଶଲ୍ୟା ନାରୀ-ପ୍ରକୃତିର ଘୋର ନିନ୍ଦାବାଦ କରି ସତର୍କ ରହିବା ପାଇଁ ସୀତାଙ୍କୁ କହି ଅଛନ୍ତି । ଛାନ୍ଦୋଗ୍ୟୋପନିଷଦରେ ‘ଜାବାଳି ଓ ସତ୍ୟକାମ’ ଗଳ୍ପରେ ଯଥେଚ୍ଛାଚାରୁ ମୈଥୁନର ସୂଚନା ଅଛି । ରାମାୟଣ ଓ ମହାଭାରତରେ କେବଳ ନାରୀ-ପ୍ରକୃତିର ନିନ୍ଦାବାଦ କରାଯାଇଥିଲେ ମଧ୍ୟ ପୁରୁଷ-ପ୍ରକୃତି ଗଙ୍ଗା-ଜଳ ପରି ସ୍ଵଚ୍ଛ ଥିଲା ବୋଲି ବିଶ୍ଵାସ କରିବା ପାଇଁ ପ୍ରମାଣ ନାହିଁ । ନାରୀମାନେ ଅଶ୍ଳୀଳ ଉତ୍ସବ ଅନୁଷ୍ଠାନ କରନ୍ତି ବୋଲି କହିବା ସଙ୍ଗେ ସଙ୍ଗେ ଯୁବକମାନଙ୍କ ପ୍ରତି କଡ଼ା ନଜର ରଖିବା ପାଇଁ ଅଶୋକ ଧଉଳିର ଶିଳାଲିପରେ ଶାସନକର୍ତ୍ତାଙ୍କୁ ଆଦେଶ ଦେଇ ଅଛନ୍ତି । ଏ ଆଦେଶ ଯୁବକମାନଙ୍କ ଚରିତ୍ର-ସଂଶୋଧନ ନିମନ୍ତେ ଅଭିପ୍ରେତ ବୋଲି ଅନୁମିତ ହୁଏ । ଯାହାହେଉ, ଯଥେଚ୍ଛାଚାର ମୈଥୁନରୁ ବୈବାହିକ ବନ୍ଧନ କ୍ରମଶଃ ଦୃଢ଼ରୁ ଦୃଢ଼ତର ହୋଇ ଥିବାର ପ୍ରମାଣ ମିଳେ ।

 

ଯେପରି ଆଦିମ ଆବସ୍ଥାରେ ବୈବାହିକ ବନ୍ଧନ ନ ଥିଲା ମନୁଷ୍ୟର ସେପରି ଗୃହସ୍ଥାଶ୍ରମ ମଧ୍ୟ ନ ଥିଲା । ଗୃହସ୍ଥାଶ୍ରମ ପ୍ରଚଳିତ ହେବା ଉତ୍ତାରୁ ସଂସାରରେ ଆବଦ୍ଧ ରହିବାକୁ ସଭିଏ ଆଗ୍ରହୀ ହୋଇ ନ ଥିବେ । ଏଣୁ ସନ୍ନ୍ୟାସ-ଜୀବନ ପରବର୍ତ୍ତୀ ଯୁଗରେ ପ୍ରଚଳିତ ହେଲା ବୋଲି କୁହାଯାଇ ନ ପାରେ । ସନ୍ନ୍ୟାସ ଜୀବନରେ ଯଥେଚ୍ଛାଚାର ମୈଥୁନର ପ୍ରବଳ ପ୍ରଚଳନ ଘଟିଥିବାରୁ ଗୃହସ୍ଥାଶ୍ରମ ଉତ୍ତାରୁ ସନ୍ୟାସ-ଧର୍ମର ବ୍ୟବସ୍ଥା କରାଯାଇଥିବ । ଯାହାହେଉ, ଇନ୍ଦ୍ରିୟ ଅପବ୍ୟବହାରର କୁଫଳ ଅନୁଭବ କରି ସଂଯମର ବ୍ୟବସ୍ଥା କରାଗଲା । ଏଥିରେ ସନ୍ଦେହ ନାହିଁ । ଏହି ସଂଯମ କାବ୍ୟାକାରରେ ପ୍ରଥମେ ରାମାୟଣରେ ଲିପିବଦ୍ଧ ହୋଇଥିବାର ଦେଖାଯାଉଛି । ପରସ୍ପର ସହାନୁଭୂତିଶୀଳ ହୋଇ ପତି-ପତ୍ନୀ କିପରି ଆଜୀବନ ବାସ କରିପାରନ୍ତି, ତହିଁର ପନ୍ଥା ରାମାୟଣରେ ଦେଖାଇ ଦିଆ ଯାଇଅଛି । ପୁରାଣମାନଙ୍କରେ ଶିବ-ପାର୍ବତୀଙ୍କର ପରସ୍ପର ନିଷ୍କାମ ପ୍ରେମର ବର୍ଣ୍ଣନା ଅଛି । କିନ୍ତୁ ତାହା ସମାଜ ପକ୍ଷରେ କଲ୍ୟାଣକର ନୁହେ । ସମାଜର କଲ୍ୟାଣକର ଦାମ୍ପତ୍ୟ-ପ୍ରେମ ରାମାୟଣରେ ରୂପରେଖ ପାଇଅଛି ।

 

ଦାମ୍ପତ୍ୟ ଜୀବନକୁ ସୁଖମୟ କରିବା ନିମନ୍ତେ ବହୁକାଳରୁ ବହୁଭାଷାରେ ବହୁକାବ୍ୟ ରଚିତ ହୋଇଛି । ବିନା ପରିଶ୍ରମରେ ପୋତାଧନ ବା ପୈତୃକ ସମ୍ପତ୍ତି ପାଇ କେହି କେହି ଅର୍ଥଶାଳୀ ହେଉଥିବାରୁ ଅଦୃଷ୍ଟବାଦ ସ୍ୱୀକାର କରାଯାଏ । ଅଦୃଷ୍ଟର ଅସ୍ତିତ୍ୱ ସ୍ୱୀକାର କଲେ ପୂର୍ବ ଜନ୍ମ ମାନିବାକୁ ହେବ । ଏଣୁ “ପୂର୍ବଜନ୍ମନି ଯା ବିଦ୍ୟା ପୂର୍ବଜନ୍ମିନି ଯା କନ୍ୟା….ଅଗ୍ରେ ଧାବତି ଧାବତି-।” କଥା ଦେଶରେ ପ୍ରଚଳିତ ଅଛି । ଆମ ଦେଶର ସାଧାରଣ ପ୍ରଚଳିତ କଥା ଅନୁସାରେ “ଯେ ଯାହାର ହାଣ୍ଡିରେ ଚାଉଳ ପକାଇଥାଏ ସେ ତାହାକୁ ବିଭା ହୁଏ ।” ଏଣୁ ଅଧିକାଂଶ ଓଡିଆ କାଳ୍ପନିକ ଛାନ୍ଦ-କାବ୍ୟରେ ନାୟକ ନାୟିକାଙ୍କ ପୂର୍ବଜନ୍ମର ପରସ୍ପର ଅନୁରାଗ ବର୍ଣ୍ଣନା କରାଯାଇଅଛି-

 

ଆମ ଦେଶରେ ବିଶ୍ୱାସ ଅଛି ଯେ, ଶୁଭ ବେଳାରେ ଆରମ୍ଭକଲେ କାର୍ଯ୍ୟ ସିଦ୍ଧ ହୁଏ ଓ ଅଶୁଭ ବେଳାରେ ଆରମ୍ଭ କଲେ ବିଘ୍ନ ହୁଏ । ଏଣୁ ଶୁଭ ବେଳାରେ ବର-କନ୍ୟାଙ୍କ ଚାରିଚକ୍ଷୁର ପରସ୍ପର ସଂଯୋଗ ବିବାହ-ବେଦିରେ କରାଯାଏ । ଏହାକୁ ‘ଶୁଭ ଦୃଷ୍ଟି’ କହନ୍ତି । ଇଂରେଜୀରେ ମଧ୍ୟ କଥା ଅଛି, ଅନ୍ତର୍ନିହିତ ଅନୁରାଗ ସହସା ପ୍ରଥମ ଦୃଷ୍ଟି-ସଂଯୋଗରେ ଉଦିତ ହୁଏ (Love at the First sight) ଏଣୁ ବିବାହ-ପୂର୍ବରୁ ନାୟକ-ନାୟିକାଙ୍କର ପରସ୍ପର ସାକ୍ଷାତର ସୁଯୋଗ ଓଡିଆ ଛାନ୍ଦ-କାବ୍ୟମାନଙ୍କରେ କବିମାନେ ବର୍ଣ୍ଣନା କରିବାକୁ ପାସୋରି ନାହାନ୍ତି । ପୁରୀରେ ଚନ୍ଦନଯାତ୍ରା କାଳରେ ଦାଣ୍ଡ ନାୟକର ଦୃଷ୍ଟି ଓ କୌଣସି ଗୃହର ଦ୍ୱାର-କବାଟ ନିକଟରେ ଛିଡ଼ା ହୋଇଥିବା ନାୟିକାର ଦୃଷ୍ଟି ସହିତ ସଂଯୋଗ ଲଭି ପରସ୍ପର ବିବାହର ସୂତ୍ରପାତ ହେବା ଉପେନ୍ଦ୍ର ଭଞ୍ଜ ରସିକ-ହାରାବଳୀରେ ବର୍ଣ୍ଣନା କରିଅଛନ୍ତି । ହୃଦୟର ଏପରି ପ୍ରେମବିନିମୟ ବନମାଳୀ ଦାସଙ୍କ ଚାଟ ଇଚ୍ଛାବତୀର ନାୟକ ନାୟିକାଙ୍କ ଜୀବନରେ ଘଟିଥିଲା । ଏହାଛଡା ଅନ୍ୟ ନାୟକ-ନାୟିକାଙ୍କ ପରସ୍ପର ପ୍ରେମ, ଚିତ୍ରପଟ-ଦର୍ଶନରେ ବା ଶିବାଳୟରେ ପରସ୍ପର ଭେଟ ହେବାରେ ଉଦିତ ହୋଇଅଛି । ଯେତେ ଉପାୟରେ ପ୍ରେମ ଉଦିତ ହୋଇପାରେ ଓ ତାହା କ୍ରମଶଃ ଗାଢ଼ରୁ ଗାଢ଼ତର ହୁଏ ସେ ସମସ୍ତ ଉପେନ୍ଦ୍ରଭଞ୍ଜ ଲାବଣ୍ୟବତୀ-କାବ୍ୟରେ ବର୍ଣ୍ଣନା କରି ଅଛନ୍ତି । ଅନ୍ୟାନ୍ୟ ଓଡ଼ିଆ ଛାନ୍ଦ-କାବ୍ୟରେ ଏଥି ମଧ୍ୟରୁ କେତୋଟି ସାଧାରଣ ଅଟେ । ନାୟକ ଚନ୍ଦ୍ରଭାନୁ ଓ ନାୟିକା ଲାବଣ୍ୟବତୀର ପୂର୍ବଜନ୍ମ-ବୃତ୍ତାନ୍ତ ଉତ୍ତାରୁ ଉଭୟଙ୍କର ରୂପ-ଗୁମ ବର୍ଣ୍ଣନା କରାଯାଇଅଛି । କିନ୍ତୁ ରୂପର ବର୍ଣ୍ଣନା ଯେତେ ଅଧିକ ଗୁଣର ବର୍ଣ୍ଣନା ତାହା ତୁଳନାରେ ବହୁତ ଊଣା । ଉଭୟଙ୍କ ପରସ୍ପର ଅନୁରାଗ-ଗୁଣର ବର୍ଣ୍ଣନା କେବଳ ଅଧିକ । ଲାବଣ୍ୟବତୀ କାବ୍ୟଚର୍ଚ୍ଚା କରିଛି । ତଥାପି ତାହାଠାରେ ସଖୀମାନେ କାମର ଉତ୍ତେଜନା ସୃଷ୍ଟି କରିଅଛନ୍ତି–

 

“ରସ-ବିଷୟ ଶ୍ରବଣ କରିବା । ବନ୍ଧ-ପଟଳ-ପଟକୁ ଚାହିଁବା ।

ଏତେ ପ୍ରକାରେ ବଶାହୋନ୍ତି ଯୁବା ।”

 

ଯେଉଁ ଜ୍ଞାନ ନାରୀ-ହୃଦୟରେ ସ୍ୱତଃ ଜାତ ହୁଏ, ତାହା ବନବିହାରବେଳେ ପ୍ରକୃତିର ଲୀଳା ଦେଖି ଲାବଣ୍ୟବତୀ ମଧ୍ୟ ଲାଭ କରିଅଛି । କବି ଆଦି-ରସ ବିଷୟରେ ଲାବଣ୍ୟବତୀର ଅସାଧାରଣ ଜ୍ଞାନ ବର୍ଣ୍ଣନାରେ ତତ୍ପର ହେଲେ କାହିଁକି ? ସିଂହଳର ବର୍ଣ୍ଣନାରେ ସେ ଲେଖିଛନ୍ତି–

 

“ଲୌହ-ଚୁମ୍ବକ ପରଶୁ-ଗ୍ରାବ ଯହିଁ । ଦାସୀନେତ୍ର ଗଉରୀ ବେତ୍ରରେ ଶୋହି ।”

 

ଚୁମ୍ବକ ଲୌହକୁ ନିଜ ନିକଟକୁ ଟାଣିଆଣେ । ସ୍ପର୍ଶ-ମଣି ପଥରକୁ ସୁନାରେ ପରିଣତ କରେ । ଦଣ୍ଡ-ପୂଜାରେ ଭକ୍ତମାନେ ଦଣ୍ଡ-ଦେବତାଙ୍କୁ ଗଉରୀ-ବେତ କହନ୍ତି । ଏହି ଭକ୍ତମାନେ ନାରୀ-ସଂସର୍ଗ ତ୍ୟାଗ କରି ପୂର୍ଣ୍ଣ ସଂଯମୀ ହୋଇଥାନ୍ତି । କିନ୍ତୁ ସିଂହଳରେ ଲାବଣ୍ୟବତୀର ଦାସୀମାନଙ୍କ ନେତ୍ର, ଚୁମ୍ବକ ଲୌହକୁ ନିଜ ନିକଟକୁ ଟାଣି ଆଣିଲା ପରି ଓ ସ୍ପର୍ଶ-ମଣି ପଥରକୁ ସୁନା କଲା ପରି ଗଉରୀ-ବେତର ଭକ୍ତମାନଙ୍କୁ ସଂଯମ-ପଥରୁ ବିଚଳିତ କରନ୍ତି । ଯେଉଁ ନାୟିକାର ଦାସୀମାନଙ୍କର ଏପରି କ୍ଷମତା ଅଛି ସେ ନାୟିକା ଆପଣା ପତିକୁ ଅବଶ୍ୟ ନିଜ ଅଧୀନରେ ରଖିପାରିବ ।

 

ଉପେନ୍ଦ୍ରଭଞ୍ଜଙ୍କ ପିତାମହ ଧନଞ୍ଜୟ ଭଞ୍ଜଙ୍କର ବହୁରାଣୀ ଥିଲେ ଓ ରାଣୀମାନଙ୍କ ଗର୍ଭରୁ ବହୁ ସନ୍ତାନ ଜନ୍ମଥିଲେ । ନିଜ ଗର୍ଭଜାତ ପୁତ୍ର ନୀଳକଣ୍ଠ ଭଞ୍ଜଙ୍କୁ ସିଂହାସନରେ ବସାଇବା ପାଇଁ ରାଣୀ ହାଡୁଦେଈ ଧନଞ୍ଜୟ ଭଞ୍ଜଙ୍କୁ ବିଷଖୁଆଇ ହତ୍ୟା କରିଥିଲେ । ବହୁପତ୍ନୀକତାର ଏପରି ବିଷମୟ ଫଳ ଉପେନ୍ଦ୍ର ଭଞ୍ଜଙ୍କ ପ୍ରାଣକୁ ବୋଧହୁଏ ଆଘାତ କରିଥିଲା । ଏଣୁ ଯେପରି ଗୁଣରେ ନାୟିକା ନାୟକକୁ ଏକପତ୍ନୀକ କରିପାରେ ସେପରି ଗୁଣ ବର୍ଣ୍ଣନା କରିବାରେ ସେ ତତ୍ପର ଥିଲେ ବୋଲି ଅନୁମତି ହୁଏ । ନିମ୍ନୋଦ୍ଧୃତ ପଦରେ ଦକ୍ଷିଣ ନାୟକ ବା ବହୁପତ୍ନୀକତାକୁ କବି ନିନ୍ଦା କରିଥିବାରୁ ଉକ୍ତ ଅନୁମାନ ଯଥାର୍ଥ ପ୍ରତୀତ ହେଉଅଛି–

 

“ଯହିଁ ତହିଁ ତୋତେ ମଧୁକାଳ ହୋଏ ‘ଦକ୍ଷିଣ’ ଶବଦ ପ୍ରକଟ ।

ସେତୁ ହେତୁରେ ଯେଉଁମାନେ ରଖିଲେ କି ନିନ୍ଦିବା ସେତ ମର୍କଟ ।”

 

ଏକ ମର୍କଟ ବହୁ ମର୍କଟୀ ସମ୍ଭୋଗ କରିବାପାଇଁ ନିଜ ଅଧୀନରେ ରଖେ । ତେଣୁ ,ସେ ଦକ୍ଷିଣ ନାୟକ ଅଟେ । ମଧୁକାଳରେ ଦକ୍ଷିଣ ପବନ ବହିଲା ପରି ଋତୁର ଅବ୍ୟବହିତ ପରେ ସନ୍ତାନ ଉତ୍ପାଦନ ପାଇଁ ମର୍କଟ ସଂପ୍ରଦାୟର ନାରୀ ସ୍ୱାମୀ-ସହବାସର କେବଳ ଥରେ ସୁଯୋଗ ପାଉଥିଲା । ମର୍କଟ ଦ୍ୱୈତ ବୋଲି ମହାଭାରତରେ ଉକ୍ତ ଅଛି । ଆତ୍ମବାଦ ଓ ପ୍ରକୃତିବାଦର ସମନ୍ୱୟକୁ ‘ସେତୁ’ ଅର୍ଥରେ ଗ୍ରହଣ କରିବାକୁ ହେବ । ବୌଦ୍ଧ ଧର୍ମ ପ୍ରବଳ ହେବା ଯୁଗରେ ଯେଉଁମାନେ ନାରୀମାନଙ୍କୁ ଅବିବାହିତା ନ ରଖିବା ପାଇଁ ବହୁ ପତ୍ନୀ ବିବାହ କରୁଥିଲେ ସେମାନଙ୍କୁ ମର୍କଟ କୁହାଯାଉଥିଲା ।

 

ଓଡିଆ ଛାନ୍ଦ-କାବ୍ୟ ଏକ ପତିକା ଓ ଏକପତ୍ନୀକ କିପରି ରହିବାକୁ ହେବ ସେ ବିଷୟରେ ଶିକ୍ଷାଦେଉଅଛି । ନାୟକ-ନାୟିକା ଚାର-ମୁଖରୁ ବା ଶୁକସାରୀଙ୍କଠାରୁ ପରସ୍ପର ରୂପଗୁଣର ପ୍ରଶଂସା ଶୁଣୁ ଅଛନ୍ତି । ଯାହାର ପ୍ରଂଶସା ଶୁଣିବ ତାହା ପ୍ରତି ଅନୁରାଗ ଜନ୍ମିବା ସ୍ୱାଭାବିକ । ପୁଣି ପରସ୍ପରକୁ ମନନ ବା ଚିନ୍ତା କରୁ ଅଛନ୍ତି । ମନନର ଫଳ ସମ୍ବନ୍ଧରେ ଉପେନ୍ଦ୍ରଭଞ୍ଜ କହିଅଛନ୍ତି–

 

“ବସି ଘୋଷିଲା ତା’ଠାରେ ମନ ।

ଏଣୁ ସପନେ ଦେଖା ଦେଲା ସେ ଧନ

ଉରଜ-ଦେଶକୁ ଚାହିଁ ଦେଖିଲା ହାର ।

କୁଙ୍କୁମେ ହୋଇଅଛି ସେ ଜରଜର ।।”

 

ଯେତେବେଳେ ଚନ୍ଦ୍ରଭାନୁ ପତ୍ନୀ ପାଇବାପାଇଁ ଆତୁର ହୋଇ ଓ ଲାବଣ୍ୟବତୀ ପତି ପାଇବାପାଇଁ ଆତୁର ହୋଇ ଚନ୍ଦ୍ରକିରଣରେ ନିଶାରେ ଶୋଇ ରହିଥିଲେ ସେତେବେଳେ ଏକ ଯୋଗିନୀ ଚନ୍ଦ୍ରଭାନୁକୁ ବହି ନେଇ ଲାବଣ୍ୟବତୀର ଶଯ୍ୟା ନିକଟରେ ରଖି ଆସିଲା । ଉଭୟଙ୍କ ପ୍ରେମର ଆଦାନ ପ୍ରଦାନ ଉତ୍ତାରୁ ଉଭୟ ନିନ୍ଦ୍ରିତ ହେଲେ । ଯୋଗିନୀ ଚନ୍ଦ୍ରଭାନୁକୁ ନିଦ୍ରିତ ଅବସ୍ଥାରେ ଫେରାଇ ଆଣି ତାହାର ନିଜ ଶେଯରେ ଶୁଆଇ ଦେଲା । ନିଦ ଭାଙ୍ଗିବା ଉତ୍ତାରୁ ଲାବଣ୍ୟବତୀ ସହିତ ତାହାର ଭେଟଘଟନା ବାସ୍ତବିକ କି ସ୍ୱପ୍ନ ବୋଲି ତାହାର ମନରେ ସନ୍ଦେହ ଜାତ ହେଲା । କାରଣ ଜାଗ୍ରତ ଅବସ୍ଥାରେ ନିବିଷ୍ଟ ଚିତ୍ତରେ ଯେଉଁ ରୂପ ମନୁଷ୍ୟ ଚିନ୍ତା କରେ ସେହି ରୂପ ସ୍ୱପ୍ନରେ ଦେଖେ । ଏଣୁ ସୁଖ-ଦୁଃଖ କେବଳ ମନର ବିକାର ଓ ସେମାନଙ୍କ ମଧ୍ୟରେ ଭେଦ ନାହିଁ ବୋଲି ଅଦ୍ୱୈତବାଦୀମାନେ କହନ୍ତି । ଉପେନ୍ଦ୍ରଭଞ୍ଜ ମଧ୍ୟ କହି ଅଛନ୍ତି–“ସୁବର୍ଣ୍ଣ ସୀତାରେ ବଶ ଶ୍ରୀରାମ । ଯାହାର ଯହିଁରେ ବଳଇ ପ୍ରେମ”

 

ଯେ ଯହିଁରେ ଅନୁରାଗ ବଳାଇବ ତାହା ତାହାକୁ ଆକର୍ଷଣୀୟ ହେବ । ଏଣୁ ନାୟକ-ନାୟିକା ଛାନ୍ଦକାବ୍ୟମାନଙ୍କରେ ସର୍ବଦା ପରସ୍ପରକୁ ମନନ କରୁଅଛନ୍ତି । ଏପରି ସାଧାରଣ ଲକ୍ଷଣ ସବୁ କାବ୍ୟମାନଙ୍କରେ ଅଛି । କିନ୍ତୁ ଲାବଣ୍ୟବତୀରେ ଗୋଟିଏ ଅଭିନବ ଲକ୍ଷଣ ଦେକାଯାଏ । ଐଦ୍ରଜାଲିକ ସିଂହଳ ଗଲା । ରାଜ-ପ୍ରାସାଦାର ଦ୍ୱାରଦେଶରେ ରାମଚରିତ ଦେଖାଇଲା । ସମସ୍ତଙ୍କୁ ରାମ-ଚରିତ ଦେଖାଗଲା । କିନ୍ତୁ ଲାବଣ୍ୟବତୀକୁ ଦେଖାଗଲା ଯେ, ଚନ୍ଦ୍ରଭାନୁ ତାହା ନିକଟରେ ପ୍ରେମ-ଭିକ୍ଷା କରୁଅଛି ।

 

ରାଧାକୃଷ୍ଣଙ୍କ ବିଷୟରେ ଛାନ୍ଦକାବ୍ୟମାନଙ୍କରେ ଅନ୍ୟାନ୍ୟ ଛାନ୍ଦକାବ୍ୟମାନଙ୍କର ଅନେକ ଲକ୍ଷଣ ଅଛି । ପ୍ରଥମ କଥା ଏମାନଙ୍କରେ ନାୟକ ନାୟିକାଙ୍କର ବିବାହ ବନ୍ଧନ ନାହିଁ । ବିଦଗ୍ଧ-ଚିନ୍ତାମଣିରେ ରାଧାଙ୍କୁ ନାୟିକା ରୂପରେ ବର୍ଣ୍ଣନା କରା ଯାଇଅଛି । କିନ୍ତୁ ରସକଲ୍ଲୋଳ ଓ ମଥୁରାମଙ୍ଗଳରେ ଗୋପୀମନେ ନାୟିକା ଓ କୃଷ୍ଣ ଦକ୍ଷିଣନାୟକ ଅଟନ୍ତି । ଅଭିମନ୍ୟୁ ସାମନ୍ତସିଂହାର ବିଦଗ୍ଧ-ଚିନ୍ତାମଣିରେ ପ୍ରେମର ପରମାର୍ଥିକ ବ୍ୟାଖ୍ୟା ଦେଇ ଅଛନ୍ତି । କିନ୍ତୁ ତାହାଙ୍କ ନିମ୍ନୋଦ୍ଧୃତ ଉକ୍ତିମାନ ସମାଜର କଲ୍ୟାଣକର ନୁହେ ।

 

“ଦେବାଶିକ୍ଷା ମନ୍ତ୍ର-ଯନ୍ତ୍ର ବିଧିକି

ଆକରଷିବ ଦେବ-ବାମାଦିକି

।।

ଅଙ୍ଗନା ବାମ ପଦ-ଧୂଳିକି

ମନ୍ତ୍ରି ମଣ୍ଡିବ ନିଜ ମଉଳିକି

।।

ତ୍ରିବୀଜ ରତି ପୀରତି ଧୃତିକି

‘କୁସୁମବାଣାୟ ନମ’ ଏତିକି ।।

।।

ଏ ଧୂଳି କାମରାଜ ଭେଳିକି

ମୋହି ମୋହିବ ଅବଳାବଳୀକି।।

।।

କାମବୀଜ ନାରୀସମ ଯେତିକି

‘ବିଶ୍ୱଜୟାୟ’ ମିଶାଇ ତେତିକି ।।

।।

ମିଳାଇ କାମ ଅଷ୍ଟାକ୍ଷରୀକି

ବଂଶୀ ବାଇଲେ ନାରୀ ରହିବେକି।।

।।

 

ଚୈତନ୍ୟଙ୍କ ସମୟରେ ପ୍ରେମ-ଭକ୍ତି ପ୍ରଚାରିତ ହେବାରୁ ଦେଶର ଅବସ୍ଥା କିପରି ହୋଇଥିଲା, ତାହା କବି ଲୋକନାଥଙ୍କ ବା-ଚଉତିଶାର ନିମ୍ନୋଦ୍ଧୃତ ପଂକ୍ତିମାନ ପଢ଼ିଲେ ଜଣାଯାଏ–

 

‘‘ଗାରଡ଼ି-ମନ୍ତ୍ରକୁ ପଢ଼ିବେ ବ୍ରାହ୍ମଣେ ଗାୟତ୍ରୀ ମନ୍ତ୍ରକୁ ଛାଡ଼ି,

ଗଉଡ଼ମାନେ ବୈଷ୍ଣବ ବୋଲାଇବେ

ଗାଈ-ପେଟରୁ ବାଛୁରୀ କାଢ଼ି । ବା ।

ଗୁରୁ ନ ମାନିବେ ଶିଶ୍ୟ, ଗୁରୁସ୍ତକୁ ନାରୀ ଦେବେ ବିଷ । ବା ।

ନବ ଯୁବାସ୍ତିରୀ ଘରେ ଥାଉ ଥାଉ ବିଟପୀ ସ୍ତିରୀକି ଚିତ୍ତ ।

 

ବ୍ରାହ୍ମଣମାନେ ବେଦ-ଚର୍ଚ୍ଚା ଛାଡ଼ି ଭୋକ ବିଦ୍ୟା ଓ ତନ୍ତ୍ର ପୂଜାରେ ରତ ହୋଇଥିଲେ । ଗୌଡ଼ୀୟ ଧର୍ମାବଲମ୍ବୀମାନେ ବୈଷ୍ଣବ ହୋଇ ସନ୍ତାନ ଉତ୍ପାଦନ କରିଥିଲେ ।

 

କେତେକ ବୈଷ୍ଣବ ସନ୍ତାନର ପ୍ରଲୋଭନ ଦେଖାଇ ନାରୀ ଅପହରଣ କରୁଥିବାର ସଙ୍କେତ ରସବିନୋଦ ରଚୟିତା ଦୀନକୃଷ୍ଣ ଦାସଙ୍କ ପ୍ରସ୍ତାବସିନ୍ଧୁରେ ‘ଭାଲୁ ଧରେଇବା’ ଗଳ୍ପରେ ଅଛି । ପୁଣି ବୈଷ୍ଣବଙ୍କ ଚରିତ୍ରର କଳୁଷତା ରସିକ ଦ୍ୱାରାବଳୀରେ ଚନ୍ଦନ-ଯାତ୍ରାର ବର୍ଣ୍ଣନାରେ ଉପେନ୍ଦ୍ରଭଞ୍ଜ ମଧ୍ୟ ଲେଖି ଅଛନ୍ତି–

 

“ନୀରଜମୁଖୀଙ୍କ ଉରଜ ହିମରଜରେ ଭୂଷି ।

ଦର୍ଶନ-ଲୋଭରେ ନିର୍ଭର କଲେ ଯୋଗୀ-ସନ୍ୟାସୀ ।।

ଏହାଙ୍କ ବିଭୂତି ତାହାଙ୍କ ଅଙ୍ଗେ ଅଙ୍କିତ ହୋଇ ।

ତନୁ ପୁଲକିତ ଶଙ୍କିତ ନୋହେ କୈତବ କାହିଁ ।।

ଭେଟେ ଭେଟେ ମାର ଉଚ୍ଚାଟେ ସ୍ନେହ ନାରୀ-ପୁରୁଷ ।

ଈଷଣେ ଈଷଣେ କଲେ ସେ କ୍ଷଣେ କ୍ଷଣେ ବିଳାସ” ।।

 

ଏପରି ଅବସ୍ଥାର ପ୍ରତିକ୍ରିୟା ସ୍ୱରୂପ ଦାମ୍ପତ୍ୟ-ପ୍ରେମର ପ୍ରଗାଢ଼ତାକୁ କାଳ୍ପନିକ ଛାନ୍ଦକାବ୍ୟରେ ରୂପରେଖ ଦିଆ ଯାଇଥିଲା । ରାଜପୁତ୍ରମାନେ ବିଶେଷ ପରିମାଣରେ ବ୍ୟଭିଚାରୀ ଥିଲେ । ଏଣୁ ଛାନ୍ଦକାବ୍ୟମାନଙ୍କରେ ସେମାନଙ୍କ ପାଇଁ ଆଦର୍ଶ ଗଢ଼ା ଯାଇଅଛି । ବୈଷ୍ଣବ ଧର୍ମରେ କଳୁଷତା ଥିଲେ ମଧ୍ୟ ପ୍ରେମର ପ୍ରଚାର ଦ୍ୱାରା ସାହିତ୍ୟର ବିକାଶ ଘଟିଅଛି । କାରଣ ପ୍ରେମ-ରସର ଚର୍ଚ୍ଚା ପାଇଁ ସାଧାରଣ ପାଠକଙ୍କ ଆଗ୍ରହ ବଢ଼ିବା ସ୍ୱାଭାବିକ ।

 

ଅଭାବ ନ ଥିଲେ ଭାବ-ପଦାର୍ଥର ଉପଲବ୍ଧି ସହଜରେ ହୁଅନ୍ତା ନାହିଁ । ଏଣୁ ମିଳନ ଉତ୍ତାରୁ କାବ୍ୟର ନାୟକ ନାୟିକାଙ୍କ ବିଚ୍ଛେଦ ଘଟାଇବା ଛାନ୍ଦ-କାବ୍ୟମାନଙ୍କର ସାଧାରଣ ଲକ୍ଷଣ ହୋଇ ଅଛି । ରଘୁନାଥ ଭଞ୍ଜଙ୍କ ‘ରସ ଲହରୀ’ ଛାଡ଼ିଦେଲେ ଅନ୍ୟ କୌଣସି କାବ୍ୟରେ ସ୍ୱତନ୍ତ୍ର ସାଗର-ବର୍ଣ୍ଣନା ନାହିଁ । ନଗର-ବର୍ଣ୍ଣନା ମଧ୍ୟ ଅଳ୍ପ କାବ୍ୟରେ ଦେଖାଯାଏ । ନାୟିକାର ରୂପ-ବର୍ଣ୍ଣନା ସବୁ କାବ୍ୟରେ ଅଛି । ବର ଖୋଜିଲାବେଳର ବିଚାର-ବର୍ଣ୍ଣନା ଅଧିକାଂଶ କାଳ୍ପନିକ କାବ୍ୟରେ ଏକାପରି । ଏହି ବର୍ଣ୍ଣନାମାନ କି ପ୍ରକାରର ହୋଇଅଛି, ତାହା ଲାବଣ୍ୟବତୀର ନିମ୍ନୋଦ୍ଧୃତ ପଦମାନଙ୍କରୁ ପାଠକମାନେ ବୁଝି ପାରିବେ ।

 

“ମୁଖ ହେବ ଏମନ୍ତ ବିଚାର ପଦ୍ମବିଧୁ ।

ହସ୍ତବଳା କରି ଆଗୁ ଗଢ଼ିଗଲା ସାଧୁ ।।

ତହୁଁ ବାସ ଆହାଲାଦ, ଦର୍ପଣରୁ ଝଳି ।

ଲହରୀରୁ କୁଟିଳ ଅଞ୍ଜନପୁଞ୍ଜୁ କାଳୀ ।।

କୁରଙ୍ଗରୁ ତରଙ୍ଗ ବିଦ୍ରୁମ ରଙ୍ଗ ହରି ।

ଲବଣୀ-ଶିରୀଷରୁ କୋମଳ ବଳେ ଜୁରି ।।

ସୁବର୍ଣ୍ଣରୁ ବର୍ଣ୍ଣ ରାଜହଂସଠାରୁ ଗତି ।

ଏ ରୂପ ଉପମାବର୍ଗ ଯେତେକ ଅଛନ୍ତି ।।”

ଅଥବା

“ଶୁଣିଲେ ସୁନ୍ଦରୀ ଶୋଭା ହରି ତୋଷରେ ।

ହରି ଘେନି ଯିବେ ଅବା ବିଧି-ବଶରେ ।।

ନୃପତି ହୋଇ ପ୍ରମାଦ ସମ୍ପତ୍ତି ବୋଧ ।

ଶିରୀ-ସ୍ନେହ ତୁଟିଗଲେ ସେ ହେବେ କ୍ରୋଧ ।।

ଶିବଙ୍କୁ ଦେଲେ ପାର୍ବତୀ-ଶାପ ପଡ଼ିବ ।

ଭସ୍ମ-ଭୂଷଣ ଅଙ୍ଗେ ଏ କେହି ଜଡ଼ିବ ।।

ଚନ୍ଦ୍ର ତ କ୍ଷୀଣ କଳଙ୍କି ତହିଁ କି ସୁଖ ।

ଅଶ୍ୱନୀ-କୁମାର ହେଲେ ତୁରଙ୍ଗ-ମୁଖ ।।

କୁସୁମ ଧନୁ ଅତନୁ ଆଉ ଅଛି କେ ।

ଚିତ୍ରପଟ ଦେଖାଇବା ମାନବ ଲୋକେ ।।

କେତେକ କାବ୍ୟରେ ଋତୁର ବର୍ଣ୍ଣନା ଅଛି, କିନ୍ତୁ କୌଣସି ଋତୁଚିତ୍ର ପୂର୍ଣ୍ଣାଙ୍ଗ ନୁହେ । ଆଦି ରସ ଛଡ଼ା ଜୀବନ ସଙ୍ଗରେ ଅନ୍ୟ କୌଣସି ପ୍ରକାରର ଯୋଗ-ସୂତ୍ର କୌଣସି କାବ୍ୟରେ ବିଶେଷ ପରିମାଣରେ ଦେଖାଯାଏ ନାହିଁ । ବ୍ରଜନାଥ ବଡଜେନାଙ୍କ ସମର-ତରଙ୍ଗ ଛାଡ଼ିଦେଲେ ଅନ୍ୟ କୌଣସି କାବ୍ୟରେ ସମସାମୟିକ ଘଟନାର ବର୍ଣ୍ଣନା ନାହିଁ । ଉପେନ୍ଦ୍ର ଭଞ୍ଜ ସୁଭଦ୍ରା-ପରିଣୟରେ ହାଟର ବର୍ଣ୍ଣନା ସମାବେଶ କରିଅଛନ୍ତି । ତହିଁରେ ମଧ୍ୟ ଲୋକଙ୍କ ଇନ୍ଦ୍ରିୟାପବ୍ୟବହାରର ନଗ୍ନ ରୂପ ଅଛି ।

କବି ଯେ କୌଣସି ରସର ଆବେଗରେ କବିତା ଲେଖୁ ସେ ଯେଉଁ ପରିସ୍ଥିତିରେ ଅବସ୍ଥିତ ଥାଏ ସେହି ପରିସ୍ଥିତିର ଛାୟାପାତ ଅବଶ୍ୟ କବିତାରେ ଘଟିବ । ଏଣୁ ଚୈତନ୍ୟଙ୍କ ପ୍ରଚାରିତ ନାମଭଜନ, ପ୍ରେମ-ଭକ୍ତି ଆମ ଦେଶରେ ପ୍ରଚଳିତ ନ ଥିବାର ସଙ୍କେତ ଦୀନକୃଷ୍ଣ ଦାସଙ୍କ ରସକଲ୍ଲୋଳ ଓ ଦେବଦୁର୍ଲଭ ଦାସଙ୍କ ରହସ୍ୟ-ମଞ୍ଜରୀରୁ ମିଳେ–

“କଲି ଯେ ତୁମ୍ଭ ନାମ କୁସୁମ ଯତନ କରି ମାଳା ସୁଷମ,

ତାହା ମୂଲାଇ ନେବାକୁ କେହି ନୋହିଲେ କ୍ଷମ ।” (ର: କ:)

“ଅବିବେକ ବୋଲିବି ଏ କେଉଁ ପାଠେ ଥିଲା ।

ଥିଲା ଯେବେ କବି କିମ୍ପା ଆଗୁ ନ କହିଲା ।।” (ର:ମ:)

 

ପ୍ରେମ-ଭକ୍ତି ଶାସ୍ତ୍ର-ସମ୍ମତ ନୁହେ ବୋଲି ଆମ ଦେଶରେ ଆପତ୍ତି ଉଠୁଥିବାରୁ ଶିଶୁ ଭୀମ ଦାସ ବହୁ ଶାସ୍ତ୍ରରୁ ପ୍ରମାଣ ସଂଗ୍ରହ କରି ‘ଭକ୍ତିରତ୍ନାବଳୀ’ ଓ ‘ହରିଭକ୍ତ ଚନ୍ଦ୍ରୋଦୟ’ ଲେଖିଥିଲେ । ପ୍ରେମ-ଭକ୍ତି ପୂର୍ବରୁ ଆମ ଦେଶରେ ଭଗବଦ୍‍ଗୀତାର ଭାଗବତଧର୍ମ ପ୍ରଚଳିତ ଥିଲା, ତାହା ଜଗନ୍ନାଥ ଦାସଙ୍କ ଭାଗବତରେ ରୂପବନ୍ତ ହୋଇଅଛି । ଗୀତା ନିଷ୍କାମ ଧର୍ମ ପ୍ରଚାର କରୁଅଛି-। କିନ୍ତୁ ଦୀନକୃଷ୍ଣ ଦାସଙ୍କ ରସକଲ୍ଲୋଳରେ ଜୀବାତ୍ମାର ଫଳଭୋଗର ସ୍ପୃହା ବର୍ଣ୍ଣନା କରାଯାଇଅଛି-। ଦ୍ୱାବିଂଶ ଛାନ୍ଦ ପର୍ଯ୍ୟନ୍ତ ଗୋପୀଙ୍କର କୃଷ୍ଣଙ୍କ ପ୍ରତି ଅନୁରାଗ ବର୍ଣ୍ଣନା କରାଯାଇଛି । ରାସକ୍ରୀଡ଼ାର ଚିତ୍ର ଦେଇ କବି କହିଛନ୍ତି–

 

“କୃଷ୍ଣଙ୍କୁ ରଥୁ କରି ଅବରୋହ ।

କୋପଭରେ ସେ ଚକ୍ରିଣୀ ଆରୋହ ।।

କଲା ବିଚିତ୍ର ଗତି, କରି ବିଜୟ ମତି;

କୃଷ୍ଣ ହେଲେ ତୃପତି, ଦେଖି ସେ ରୀତି” ।।

 

କୃଷ୍ଣ ରଥରେ ଚଢ଼ି ବୃନ୍ଦାବନକୁ ଯାଇ ଥିବାର ଟିକିଏ ହେଲେ ସୂଚନା ନାହିଁ । ଏଣୁ ଏଠାରେ ଦେହକୁ ରଥ ରୂପରେ, କୃଷ୍ଣଙ୍କୁ ସାରଥି, ସାକ୍ଷୀ ଚୈତନ୍ୟ ରୂପରେ ଓ ଚକ୍ରିଣୀକୁ କୁଣ୍ଡଳିନୀ-ଅର୍ଥରେ ଗ୍ରହଣ ନ କଲେ ଅର୍ଥ ସଙ୍ଗତ ହୁଏ ନାହିଁ । ଜୀବାତ୍ମା ସାକ୍ଷୀ ଚାତନ୍ୟଙ୍କଠାରୁ ପୃଥକ୍ ହୋଇ ରସର ଉପଭୋଗରେ ମାତିଲା, ଏପରି ଅର୍ଥ ଉଦ୍ଧୃତ ପଦରୁ ସୂଚିତ ହେଉଅଛି । ଏହା ଗୌଡ଼ୀୟ ଅଚିନ୍ତ୍ୟ ଭେଦାଭେଦ ନୁହେ ।

 

ପ୍ରାଚୀନ ସାହିତ୍ୟରେ ସଂସ୍କୃତର ବିକାଶ-ଧାରା କିପରି ଅଛି, ତାହା ଆଲୋଚନା କରିବା ପାଇଁ ଏଠାରେ ଅବକାଶ ନାହିଁ । ତାହା ନ କଲେ କାବ୍ୟମାନଙ୍କ ମଧ୍ୟରେ ସୂକ୍ଷ୍ମ ପ୍ରଭେଦ ବାରି ହୁଏ ନାହିଁ । କାରଣ, ବର୍ଣ୍ଣନା ପ୍ରଣାଳୀ ପ୍ରାୟ ଗୋଟିଏ ଛାଞ୍ଚରେ ଢଳା ହେଲା ପରି ପ୍ରତୀତ ହୁଏ । ଅଭିମନ୍ୟୁ ସାମନ୍ତସିଂହାର ନିଜେ କହି ଅଛନ୍ତି–

 

“ଉପେନ୍ଦ୍ର-ପଦ ଅଭିମନ୍ୟୁ ମନୁ ।

ଉପେକ୍ଷା ଯେ ନୋହିବତ ଦିନୁ ଦିନୁ ।”

 

ଚନ୍ଦ୍ରଭାନୁ ସହିତ ଲାବଣ୍ୟବତୀର ଭେଟ ଓ ତତ୍ପରେ ଉଭୟଙ୍କ ଅନୁଚିନ୍ତାକୁ ଉପେନ୍ଦ୍ରଭଞ୍ଜ ଯେପରି ବର୍ଣ୍ଣନା କରି ଅଛନ୍ତି, କୃଷ୍ଣଙ୍କ ସହିତ ରାଧାଙ୍କ ଭେଟ ଓ ଉଭୟଙ୍କର ଅନୁଚିନ୍ତାକୁ, ଅଭିମନ୍ୟୁ ସେପରି ବର୍ଣ୍ଣନା କରି ଅଛନ୍ତି । ଏପରି କି, ଚନ୍ଦ୍ରଭାନୁ ଶୋଇବା ସନ୍ଧ୍ୟା-ବର୍ଣ୍ଣନାଟିର ଉତ୍‍-ପ୍ରେକ୍ଷା-ଅଳଙ୍କାରର ଭାଷା ପ୍ରାୟ ଏକ ହୋଇ ଅଛି–

 

“ଚକ୍ର-ସୁଖଚକ୍ର ନକ୍ର ଛେଦନେ ହୀରକ ଚକ୍ର

ଫିଙ୍ଗିଛି ତାତ-ସିଦ୍ଧିରେ କାମ କି ରୋଷେ ।” (ଲା:ବ:)

“ତାତ-ସିଦ୍ଧିକି ବଳିବ ବିଚାରି କି କାମଦେବ

ମାଣିକ୍ୟ-ହୀରା-ରଥାଙ୍ଗ ପେଷି ଦେଇଛି ।” (ବି:ଚି:) ।

 

କୃଷ୍ଣଙ୍କ ସହିତ ରାଧାଙ୍କର ଭେଟ ହୋଇ ନାହିଁ । ଦ୍ୱାରକା ଯାଇ ବିବାହ କଲା ଉତ୍ତାରୁ କାମ ଜନ୍ମଗ୍ରହଣ କରିବା ପାଇଁ ଅନେକ କାଳ ବାକି ଅଛି । ତାତା-ସିଦ୍ଧି ପାଇଁ ଚକ୍ରକୁ କାମ ଫିଙ୍ଗିଲା କିପରି ? ଭଞ୍ଜଙ୍କ ପଦ ମନେ ପଡ଼ି ଯାଇ ଥିବାରୁ ଉକ୍ତ ବିଚାର କବିଙ୍କ ମନକୁ ସ୍ପର୍ଶ କରି ନାହିଁ । ଯେତେ ଅନୁକରଣ କଲେ ମଧ୍ୟ ଅଭିମନ୍ୟୁଙ୍କ କବି ପ୍ରତିଭା ସମୁଜ୍ଜ୍ୱଳ ହୋଇଅଛି । ଗୌଡ଼ୀୟ ବୈଷ୍ଣବ ସମ୍ପ୍ରଦାୟର ‘ଅଚିନ୍ତ୍ୟ ଭେଦାଭେଦ’ ମତକୁ ସେ ବଡ ସୁବୋଧ୍ୟ ଦୃଷ୍ଟାନ୍ତରେ ଓ ସରଳ ଭାଷାରେ ବୁଝାଇ ଅଛନ୍ତି–

 

“ରଙ୍ଗ ଏ ସଂସାରେ ବୋଲାଏ ନାରଙ୍ଗ ।

ପୀତ ବର୍ଣ୍ଣ ଦିଶଇ ତାହା ନାରଙ୍ଗ ।।

ନାମନାମୀ ଅଭେଦେ ଶଙ୍କା ଜନିତ ।

ଏ ଚିନ୍ତା ନ ଗଲା ଦିବା ରଜନୀ ତ ।।

ଯା ନାମ-ସ୍ୱାଦୁ ଲୋଭ ମାନସରତ ।

ତା ରୂପ ହୋଇଥିବ ସୁଧା-ସରିତ ।।

ନାମ ଅର୍ଥରୁ ତା ବର୍ଣ୍ଣ ଆଭାସଇ ।

ତଥାପି ସଂଶୟରେ ତା ନ ଭାଷଇ ।।”

 

ଯାହାର ରଙ୍ଗ ଅଛି, ତାହାର ରଙ୍ଗ ନଥିବା ଅର୍ଥର ନାମ ହୁଏ । କାରଣ ନାରଙ୍ଗ-ଫଳ ପୀତ ବର୍ଣ୍ଣ ହୋଇ ଥିଲେ ମଧ୍ୟ ତାହାର ରଙ୍ଗନଥିବା ଅର୍ଥର ନାମ ହୋଇ ଅଛି । ଏଣୁ ନାମନାମୀ ବା ନାମ ଓ ପଦାର୍ଥ ମଧ୍ୟରେ ଭେଦ ଓ ଅଭେଦ ଥିବା ଚିନ୍ତା କରି ହେଉ ନାହିଁ । ‘ନାରଙ୍ଗ’ ନାମ ଶୁଣିଲେ ତାହାର ସ୍ୱାଦୁ ଉପଭୋଗ କରିବା ପାଇଁ ଲୋଭ ବଳୁଛି । ତା’ର ରୂପ ଉପଭୋଗ କଲାବେଳେ ନିଶ୍ଚୟ ଅମୃତମୟ ହେବ ।

 

ତାହାଙ୍କ ଗୁରୁ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା, ‘ଯୁଗଳ ରସାମୃତ-ଲହରୀ’ରେ ଯେପରି ସରଳ ଲଳିତ ପଦମାନ ବ୍ୟବହାର କରି ଅଛନ୍ତି, ଅଭିମନ୍ୟୁ ସେପରି ପଦମାନ ବ୍ୟବହାର କରିଥିଲେ ମଧ୍ୟ ସେ ଯୁଗର ପଣ୍ଡିତ ସମାଜର ରୁଚି ମେଣ୍ଟାଇବା ପାଇଁ ଅନ୍ୟାନ୍ୟ ଛାନ୍ଦ-କାବ୍ୟର କବିମାନଙ୍କ ପରି ନିଜ କାବ୍ୟକୁ ଶବ୍ଦାଳଙ୍କାରରେ ଭାରାକ୍ରାନ୍ତ କରି ଅଛନ୍ତି । ଓଡିଶାର ପ୍ରାଚୀନ ମନ୍ଦିରମାନ ଯେପରି ନାନାବିଧ ଭୂଷଣରେ ଭୂଷିତ, କାବ୍ୟର ନାୟିକାମାନେ ମଧ୍ୟ ସେପରି ଅଳଙ୍କାରରେ ଭୂଷିତା ହେଉଥିଲେ । ଓଡ଼ିଶାର ପଣ୍ଡିତମାନ ପ୍ରାଚୀନ କାଳରୁ ଶବ୍ଦାଳଙ୍କାରପ୍ରିୟ ଥିବାର ପ୍ରାଚୀନ ତାମ୍ରଶାସନମାନଙ୍କରୁ ଜଣାଯାଏ । ତାମ୍ରଶାସନମାନଙ୍କରୁ ଏଠାରେ କେତୋଟି ଉଦାହରଣ ଦିଆଯାଉଅଛି–

 

୧.

“ଅଭ୍ୟାଲୋକବିଧାୟିନାମନୁଦିନଂ ସମ୍ବର୍ଦ୍ଧମାନଶ୍ରୀୟାଂ

 

ରାଜ୍ଞାଂ ନିର୍ମଳମଣ୍ଡଳାଗ୍ରମହିମଗ୍ରସ୍ତିଦ୍ୱିଷତ୍‍ସମ୍ପଦାମ୍ ।

 

ଆକ୍ରାନ୍ତ ତୁଳଭୂଭୃଦୁଚ୍ଚ-ଶରସାଂ ପଦ୍ମାକରୋଲ୍ଲାସିନା-

 

ନ୍ଦୋଷାସଙ୍ଗବିବର୍ଜିତୈକ ବିଦୁଷାଂ ଭାସ୍ୱତ୍କରାଣାଂକୁଳଃ ।।

 

ଏଠାରେ କରକୁଳ ଓ ସୂର୍ଯ୍ୟଙ୍କ ଗୁଣ ଏକସଙ୍ଗରେ ବର୍ଣ୍ଣନା କରାଯାଇ ଅଛି । ଆଲୋକ-ସଂସ୍କୃତି ଓ ତେଜ । ଶ୍ରିୟାଂ–ଧନସମ୍ପଦ ଓ ଶୋଭା । ହିଷତ୍–ଶତ୍ରୁ ଓ ଅନ୍ଧକାର । ମଣ୍ଡଳାଗ୍ର–ତରବାରି ଓ ସୂର୍ଯ୍ୟମଣ୍ଡଳ । ଭୂଭୃତ୍–ରାଜା ଓ ପର୍ବତ । ପଦ୍ମାକର-ଲକ୍ଷ୍ମୀ ଓ ପଦ୍ମ ସମୂହ । ଦୋଷା–ତ୍ରୁଟି ଓ ସନ୍ଧ୍ୟା ।

 

୨.

ଗୃଣପକ୍ଷପାତିଷୁ ରାଜହଂସେଷ୍ୱପି ନ ମାନସବ୍ୟସନେଷୁ

 

ପୃଥୁଦଣ୍ଡବିଭବେଷୁ ଚଣ୍ଡକର ପ୍ରିୟେଷ୍ୱପ୍ୟତୀବ୍ରକରେଷୁ ।।

 

ଗୁଣ ପକ୍ଷପାତୀ ହୋଇ ରାଜହଂସ ବା ରାଜାମାନେ ପଣ୍ଡିତ ଅଟନ୍ତି । କିନ୍ତୁ ରାଜହଂସ ମାନସ-ସରୋବରରେ ବ୍ୟସନ କଲା ପରି ଏମାନେ ବ୍ୟସନରେ ମାନସ ବଳାଉ ନଥିଲେ । ପୃଥୁଦଣ୍ଡ ବା ପ୍ରବଳ ବଳ ଥାଇ ଏମାନେ ଚଣ୍ଡକର ବା ତେଜୀୟାନ୍ ହୋଇଥିଲେ ମଧ୍ୟ ଚଣ୍ଡକର ବା ସୂର୍ଯଙ୍କ ପରି ତୀବ୍ରକର ବା ଉତ୍କଟ ଖଜଣାଗ୍ରାହୀ ନଥିଲେ । (ଏଠାରେ ବିରୋଧାଭାସାଳଙ୍କାର ।)

 

୩.

ଦୁର୍ବାରବାରଣରଣପ୍ରତିପକ୍ଷପକ୍ଷାତ୍...

 

(ଏଠାରେ ଶୃଙ୍ଖଳାଳଙ୍କାର)

 

ଶବ୍ଦାଳଙ୍କାର ଓଡ଼ିଆ ଛାନ୍ଦକାବ୍ୟମାନଙ୍କର ଗୋଟିଏ ବଡ଼ ସାଧାରଣ ଲକ୍ଷଣ । କିନ୍ତୁ ପ୍ରତ୍ୟେକ ଶବ୍ଦାଳଙ୍କାରର ପରିଚୟ ଦେବାକୁ ଏଠାରେ ଅବକାଶ ନାହିଁ । ସାଧାରଣ କେତୋଟିର ପରିଚୟ ନ ଦେଲେ, ଓଡ଼ିଆ ଛାନ୍ଦ-କାବ୍ୟ ସମ୍ବନ୍ଧରେ ପାଠକମାନଙ୍କ ମନରେ ସ୍ଥୂଳ ଧାରଣା ମଧ୍ୟ ଜନ୍ମିବ ନାହିଁ । ଦର୍ଶନ-ଶାସ୍ତ୍ର ଅନୁସାରେ ଧ୍ୱନି ଆକାଶର ଗୁଣ । ଆକାଶର ଗୁଣ ବର୍ଣ୍ଣରେ ଥିବାରୁ ସେ ଧ୍ୱନି ଗ୍ରହଣ କରେ । ଆକାଶ ଯେପରି ଏକାକାର, ଶୂନ୍ୟ ପରି ପ୍ରତୀତ ହୁଏ ଭାଷା ନ ଜାଣିଥିବା ଲୋକ ପକ୍ଷରେ ସବୁ ଧ୍ୱନି ସେପରି ଏକାକାର, ଅର୍ଥଶୂନ୍ୟ ବୋଧ ହୁଏ । ପ୍ରାଚୀନ କାଳରେ ଏ ଦେଶରେ ଅନେକ ଶୁନ୍ୟବାଦୀ ବୌଦ୍ଧ ଥିଲେ । ସେମାନେ ଶବ୍ଦ ଓ ଶବ୍ଦାର୍ଥର ଅସ୍ତିତ୍ୱ ସ୍ୱୀକାର କରୁ ନ ଥିଲେ । ସେମାନଙ୍କୁ ଭାଷାର ଶ୍ରୁତି-ମଧୁରତା ବୁଝାଇବାପାଇଁ ଶବ୍ଦାଳଙ୍କାର ଓ ରୂପସୌନ୍ଦର୍ଯ୍ୟର ବର୍ଣ୍ଣନା ଅଭିପ୍ରେତ ହୋଇ ଥିବାର ପ୍ରତୀତ ହୁଏ ।

 

କି ଗଦ୍ୟ, କି ପଦ୍ୟ, ସବୁ ରଚନାରେ ଅନୁପ୍ରାସାଳଙ୍କାରଟି ଶ୍ରୁତିମାଧୁର ହୁଏ । ଏକ ବ୍ୟଞ୍ଜନ ବର୍ଣ୍ଣ ବିଭିନ୍ନ ଶବ୍ଦମାନଙ୍କରେ ଥାଇ ସେହି ଶବ୍ଦମାନ ଏକ ବାକ୍ୟରେ ବ୍ୟବହୃତ ହୋଇଥିଲେ ତାହାକୁ ଅନୁପ୍ରାସାଳଙ୍କାର କହନ୍ତି–

 

“ମଙ୍ଗଳ-ଚଳନେ ଉଇଁଲା ଘନ କି ଜଳ ବରଷା ନ କରିବ ।” (ଲା:ବ:)

 

ଏହି ଉଦାହରଣରେ ‘ଳ’ ବର୍ଣ୍ଣ ଥିବା ଚାରୋଟି ଶବ୍ଦ ବ୍ୟବହୃତ ହୋଇଅଛି । ଏହି ଅନୁପ୍ରାସ ପୁଣି ମଧ୍ୟାନୁପ୍ରାସ, ଏକାନ୍ତାନୁପ୍ରାସ, ଛେକାନୁପ୍ରାସ ଭେଦରେ ବିଭିନ୍ନ ପ୍ରକାର । ଦୁଇ ବା ତତୋଧିକ ବର୍ଣ୍ଣର ପୁନଃ ପୁନଃ ବ୍ୟବହାର ଏକ ବାକ୍ୟରେ ଘଟିଥିଲେ ତାହାକୁ ଯମକାଳଙ୍କାର କହନ୍ତି–

 

ଶ୍ରବଣେ ଘନ ଘନ, ଗର୍ଜନେ ଘନ ଘନ

ଚାହିଁ ଲୋତକ ଥନ ଥନ”, (ର: ହ:)

 

ଏପରି ଅଳଙ୍କାର ଶ୍ରୁତି-ମଧୁର ହୁଏ । ଏହି ଯମକାଳଙ୍କାର ଆଦ୍ୟ ଯମକ, ମଧ୍ୟଯମକ, ପ୍ରାନ୍ତଯମକ, ମାଳଯମକ ଭେଦରେ ଅନେକ ପ୍ରକାର ।

 

ଶିକୁଳିର ପରବର୍ତ୍ତୀ ଫାଳ ପୁର୍ବବର୍ତ୍ତୀ ଫାଳ ସହିତ ସଂଲଗ୍ନ ଥାଏ । ସେପରି ପୂର୍ବବର୍ତ୍ତୀ ପର୍ବ, ଚରଣ ବା ପଦର ଅନ୍ତ୍ୟ ଏକ ବା ତତୋଧିକ ବର୍ଣ୍ଣ ପରବର୍ତ୍ତୀ ପର୍ବ, ଚରଣ ବା ପଦର ଆଦ୍ୟରେ ବ୍ୟବହୃତ ଦୋଇଥିଲେ ତାହାକୁ ଶୃଙ୍ଖଳାଳଙ୍କାର କହନ୍ତି । ଏହା ତାମ୍ରଶାସନର ତୃତୀୟ ଉଦାହରଣରୁ ପାଠକେ ବୁଝିଥିବେ । ସିଂହାବଲୋକନ ଶୃଙ୍ଖଳା, ମଣ୍ଡୁକପ୍ଳୁତ ଶୃଙ୍ଖଳା ପ୍ରଭୁତି ଏହାର ମଧ୍ୟ ନାନା ଭେଦ ଅଛି । ସାଧାରଣରେ ଅନୁପ୍ରାସ ଓ ଯମକ ଯେପରି ବହୁ କାବ୍ୟରେ ଦେଖାଯାଏ, ସିଂହାବଲୋକନଶୃଙ୍ଖଳା ମଧ୍ୟ ସେପରି ବହୁ କାବ୍ୟରେ ବ୍ୟବହାର କରାଯାଇ ଅଛି । ସିଂହ ଗତି କଲାବେଳେ ଟିକିଏ ଟିକିଏ ରହି ରହି ପଛକୁ ଚାହୁଁ ଥାଏ । ସେପରି, ପରବର୍ତ୍ତୀ ଚରଣର ଆଦ୍ୟ ବର୍ଣ୍ଣ ପୂର୍ବବର୍ତ୍ତୀ ଚରଣର ଅନ୍ତ୍ୟ ବର୍ଣ୍ଣ ହୋଇ ଥିବାରୁ ଏହା ପଛକୁ ଚାହିଁବା ପରି ହେଲା–

 

“କଞ୍ଜ-ଚନ୍ଦ୍ର ଦରପଣ-ବଦନ ରଞ୍ଜନ

ଜନ ହରଷଜନକ ବର ପରସନ୍ନ ।” (ବି: ଚି: )

 

ଏଠାରେ ପ୍ରଥମ ଚରଣର ଅନ୍ତ୍ୟ ‘ଜନ’ ୨ୟର ଆଦ୍ୟରେ ବ୍ୟବହୃତ ହୋଇଛି । ବହୁପ୍ରକାର ଅନୁପ୍ରାସ, ଯମକ ଓ ଶୃଙ୍ଖଳାଳଙ୍କାର ଉପେନ୍ଦ୍ର ଓ ଅଭିମନ୍ୟୁଙ୍କ ରଚନାକୁ ଅନେକ ସ୍ଥଳରେ କ୍ଳିଷ୍ଟ କରିଅଛି । ବିଭିନ୍ନ ଅର୍ଥରେ ଏକ ବା ଏକାଧିକ ଶବ୍ଦ ଏକ ବାକ୍ୟରେ ବ୍ୟବହୃତ ହୋଇଥିଲେ ତାହାକୁ ଶ୍ଳେଷାଳଙ୍କାର କହନ୍ତି ।

 

ଉପେନ୍ଦ୍ର, ଅଭିମନ୍ୟୁ, ରସକଲ୍ଲୋଳ ରଚୟିତା ଦୀନକୃଷ୍ଣ. ବ୍ରଜନାଥ ବଡ଼ଜେନା, ଯଦୁମଣି ପ୍ରଭୃତି ବହୁ କବି ଏହି ଅଳଙ୍କାରକୁ ବ୍ୟବହାର କରି ଅଛନ୍ତି ।

 

ଯେ କୌଣସି ଘଟନା ବା କ୍ରିୟାକଳାପକୁ ବର୍ଣ୍ଣନା କଲେ ତାହାର ଯଥାର୍ଥ ରୂପ ଯଦି ପାଠକର ହୃଦୟରେ ସହସା ଅଙ୍କିତ ହୋଇଯାଏ, ତେବେ ତାହାକୁ ସୁକବିତ୍ୱର ପ୍ରକାଶ କହନ୍ତି । ଏପରି ବର୍ଣ୍ଣନା ମଧ୍ୟରେ ଶୃଙ୍ଖଳା, ଯମକ,ଶ୍ଳେଷ ପ୍ରଭୃତି ଅଳଙ୍କାରର ସମାବେଶ କଲେ ରଚନା ପ୍ରୀତିକର ହୁଏ । ରସକଲ୍ଲୋଳରେ ବର୍ଷା-ଋତୁର ଯଥାର୍ଥ ରୂପର ବର୍ଣ୍ଣନା ମଧ୍ୟରେ ଶ୍ଳେଷାଳଙ୍କାରର ସମାବେଶ ବଡ଼ ପ୍ରାଣସ୍ପର୍ଶୀ ହୋଇଅଛି–

 

“କୃଷିକାରକେ ହୋଇ ହରଷ, କଲେ ଯେ ଯାହା ଇଚ୍ଛାରେ ଚାଷ,

କେଦାରମାନଙ୍କରେ ପୂରିଲା ଗୀତ ଅଶେଷ ସେ ।

କଲେ ତାଣ୍ଡବ ମଧ୍ୟ ପାଣ୍ଡବ ବିଟପୀ-ଶିରେ ମାର୍ଜାର ରବ;

କାହ ଚରଣ ଖସେ କେ ଦେଖି ହସେ,

କେଉଁ ପଥିକ ନଦୀତଟରେ ବସେ

କରଇ ଚିନ୍ତା ତରଣୀ ପାଇଁ, କେଉଁ ତରୁଣୀ ପଚାରେ ଯାଇ

କେମନ୍ତ ହୋଇଥିବ ପୂରିଛି ଏ ଘନରସ ଯେ ।

କୁମ୍ଭ ଭେଳାରେ ହୁଅନ୍ତି ପାରି କାହିଁ ତ ଏଥି ନାହାନ୍ତି କରୀ,

ମୋହ ନାୟକ ନାହାନ୍ତି ଯାଇ ଛନ୍ତି ସେ ପାରି ଯେ ।”

 

ପାଶ୍ଚାତ୍ୟ ସମାଲୋଚକମାନେ କହନ୍ତି ଯେ, ଭାଷା ଓ ସାହିତ୍ୟରୁ ଜାତିର ମନସ୍ତତ୍ତ୍ୱର ନିଦର୍ଶନ ମିଳେ । ଆମ ଦେଶରେ ସାହିତ୍ୟର ବିହିତ ଆଲୋଚନା ନୋହି ଥିବାରୁ ମନସ୍ତତ୍ତ୍ୱ ଆବିଷ୍କୃତ ହୋଇ ନାହିଁ । ବର୍ତ୍ତମାନ ଉଦ୍ଧୃତ ପଦର ଶ୍ଳେଷାଳଙ୍କାର ବିଚାର କଲେ ଜଣାଯାଏ ଯେ, ଆଦି-ରସ ଏଥିରେ ପ୍ରଚ୍ଛନ୍ନ ରହିଛି । ମଧ୍ୟପାଣ୍ଡବ ଅର୍ଜ୍ଜୁନ (ବୃକ୍ଷ) ଓ ମୟୂର ବା ଅବିବାହିତ ପୁରୁଷ । ବିଟପୀ-ବୃକ୍ଷ ଓ କଳୁଷିତା ନାରୀ । ମାର୍ଜ୍ଜାର–ଏକ ପ୍ରକାର ସମ୍ଭୋଗ ବନ୍ଧ ଓ ବିରାଡ଼ି । ଏ–ନଦୀ ଓ ପଚାରିବା ନାରୀ ନିଜେ । ଘନରସ-ବର୍ଷାପାଣି ଓ ଆଦିରସ । କୁମ୍ଭ–ମାଠିଆ ଓ ନାରୀସ୍ତନ । କରୀ–ହାତୀ ଓ ପୁରୁଷଗଜ ।

 

ଏହି ଶ୍ଳେଷାଳଙ୍କାର ‘ଛଳ’ ଓ ‘ବକ୍ରୋକ୍ତି’ ନାମରେ ମଧ୍ୟ ଅନ୍ୟ ପ୍ରକାର ହୋଇଥାଏ । ‘ଛଳ’ ରେ ସାଧାରଣ ଅର୍ଥ ସହିତ ଗୋଟିଏ ପରିହାସ ଅର୍ଥ ଥାଏ । ଉପେନ୍ଦ୍ର ଲାବଣ୍ୟବତୀର ସଖୀମାନଙ୍କ ସହିତ ବନବିହାରବେଳରେ ଲେଖିଛନ୍ତି :-

 

“କହେ ଏକ ନାରୀ ବିଶେଷେ ସୁନାରୀ

ଏ ଦେଶରେ ବାସ କରିଛି,

ଭୃଙ୍ଗ କିଂପୁରୁଷ ଚଞ୍ଚଳ ମାନସ

ଏଥି ତଥି ପୁଣ ଯାଉଛି ।”

 

ଏଠାରେ ସୁନାରୀର ଅର୍ଥ ସୁନାରିଫୁଲ ଓ ନାୟିକା ଲାବଣ୍ୟବତୀ ଏବଂ ଭୃଙ୍ଗର ଅର୍ଥ ଭ୍ରମର ଓ ବିଟପୁରୁଷ । ଲାବଣ୍ୟବତୀ ପରି ଉତ୍ତମ ସ୍ୱଭାବର ନାରୀ ଥାଉ ଥାଉ ବିଟପୁରୁଷମାନେ ବିଟପୀ ସ୍ତ୍ରୀ ନିକଟକୁ ସୁନାର ହାର ଉପହାର ପଠାଇବା ପାଇଁ ଏଣେ ତେଣେ ସୁନାରୀ ଖୋଜି ବୁଲୁଛନ୍ତି । ଚିତ୍ତ ଚଞ୍ଚଳ ହେଲେ ଯଥାର୍ଥ ଜ୍ଞାନର ଉଦୟ ହୁଏ ନାହିଁ । ବିଟପୁରୁଷମାନଙ୍କର ଚିତ୍ତ ଚଞ୍ଚଳ ହୋଇଥିବାରୁ ସେମାନେ ଭଲମନ୍ଦ ବାରିପାରୁ ନାହାନ୍ତି । ଏପରି ଉପଦେଶ ଦେବା ସଙ୍ଗେ ସଙ୍ଗେ ଲାବଣ୍ୟବତୀକୁ ପରିହାସ କରାଯାଇଅଛି ।

 

ଏ ଯୁଗରେ ତୁଳନାତ୍ମକ ପାଠ ବଡ଼ ଆବଶ୍ୟକ । ଉଦ୍ଧୃତ ପଦରେ ‘ସୁନାର ଉପହାର’ ଅର୍ଥ ଗ୍ରହଣ କରିବା ପାଇଁ ରସକଲ୍ଲୋଳର ପଦଟି ସଙ୍ଗେତୁଳନା କରାଯାଉ–

 

“କେଉଁ ଗୋପୀ ହସି ବକ୍ରବାଣୀ ଭାଷି

ବୋଲେ, ଦେଖ ଏ କାମଦୂତୀ,

କାମକାର୍ଯ୍ୟ ସିଦ୍ଧ କରିବାରୁ ବୁଧ

ମାନେ ବୋଲନ୍ତି କାମଦୂତୀ ।”

କେ ବୋଲେ ଶୁଣ ଗୋ ସମସ୍ତ ସୁନାରୀ,

କରିଛି କୁସୁମ କପଟେ ସୁଷମ

ତପନୀୟ କଣ୍ଠମାଳକୁ,

କନ୍ଦର୍ପକୁ ଭୟ ନ ଥିଲେ ଥୋକାଏ

ନେଇଥାଅ ଯେଝା ଘରକୁ;

କେ ବୋଲେ, ସୁଖ-ଲୋଭେ ଦୁଃଖ ପାଇବ,

କେତୁମୁଣ୍ଡ ପ୍ରାୟେ ତୁଣ୍ଡ ସୁଆଦରୁ

କାଳଦଣ୍ଡ ସିନା ପାଇବ ।”

 

ସୁନାରି-ଫୁଲର ବର୍ଣ୍ଣ ସୁନା ପରି । ପୁରୁଷମାନେ ସ୍ୱର୍ଣ୍ଣ ବର୍ଣ୍ଣା ନାରୀ ଲାଭ କରିବାକୁ କାମନା କରନ୍ତି ବୋଲି ଏହାକୁ କାମଦୂତୀ କୁହାଯାଇଅଛି । ଏହା ମାଳାକାରରେ ଫୁଟୁଥିବାରୁ କୃତମାଳ କୁହାଯାଏ ଓ ଏହା ସୁନାର ହାର ପରି ଦିଶେ । ବିଟ ପୁରୁଷମାନେ ସୁନାରି ସାହାଯ୍ୟରେ ବିଟପୀନାରୀ ନିକଟକୁ ସୁନାର ହାର ଉପହାର ପଠାଉଥିବାରୁ ସୁନାର ହାର ପରି ଦିଶିବା ସୁନାରି-ଫୁଲ କାମଦୂତୀ । ଏ ବିଟପୁରୁଷର ପ୍ରକୃତ ଉପହାର ନୁହେ । ବେକରେ ଘେନିଲେ ବିଟପୁରୁଷ ଆସିବ ନାହିଁ । ଏଣୁ ଘେନିଥିବା ନାରୀ କାମ-ପୀଡ଼ା ଭୋଗିବ । ଅମୃତ ଦେବତାମାନଙ୍କ ମଧ୍ୟରେ ବଣ୍ଟା ହେବାପାଇଁ ଥିଲା । କେତୁ ଛଦ୍ମ ବେଶରେ ତାହାକୁ ଖାଇବାରୁ ବିଷ୍ଣୁ ତାହାର ମୁଣ୍ଡ କାଟିଥିଲେ-। ଏଣୁ ଶୋଭାରେ ମୁଗ୍ଧ ହୋଇ ଏହାକୁ ଗଳାରେ ଘେନିବା ଉଚିତ ନୁହେ । ବିଟ ଓ ବିଟପୀ ଯଥାର୍ଥରେ କାମନା ସିଦ୍ଧ କରନ୍ତି ନାହିଁ । ସୁନାରି-ଫୁଲ ମଧ୍ୟ ପ୍ରୟୋଜନରେ ଲାଗେ ନାହିଁ । ଏଣୁ ସାଧାରଣ ଅର୍ଥର ବିପରୀତ ଅର୍ଥ ଏକ ପଦରୁ ବାହାରୁ ଥିବାରୁ ଏହାକୁ ବକ୍ରବାଣୀ ବା ବକ୍ରୋକ୍ତି-ଅଳଙ୍କାର କହନ୍ତି । ସୂର୍ପଣଖା ହାତରେ ଲକ୍ଷ୍ମଣଙ୍କ ନିକଟକୁ ରାମ ଯାହା ଲେଖିଥିବାର ଉପେନ୍ଦ୍ର ବର୍ଣ୍ଣନା କରିଅଛନ୍ତି ତହିଁରେ ମଧ୍ୟ ବକ୍ରୋକ୍ତି ଅଛି–

 

ବାବୁ, ନାକଶିରୀ ଦାନ ଯୋଗ୍ୟ ଯୋଷାକୁ

ବିରହ କାନନ କର ଆଲିଙ୍ଗନକୁ । ବୈ: ବି:

 

ନାକଶିରୀ ବା ଓ ସ୍ୱର୍ଗସମ୍ପଦ ଦାନ କରିବା ଭଳି ଯୋଷାକୁ ଆଲିଙ୍ଗନ କର ଓ କାନନ ବିହର ବା ବଣରେ ବୁଲ, ଏପରି ଅର୍ଥ ସହିତ ନାକ ଶୋଭା ଦାନ ବା କାଟ, କାନ ବିହର ବା କାଟ ଓ ଆଲିଙ୍ଗନ ନ କର, ଏପରି ବିପରୀତ ଅର୍ଥ ମଧ୍ୟ ପ୍ରତୀତ ହେଉଅଛି । ଆଧୁନିକ ଯୁଗରେ ଯୁଦ୍ଧ-କାଳରେ ଠାର-ଭାଷାରେ ବେତାର ସମ୍ବାଦ ପଠାଯାଏ । ସେ କାଳରେ ଗୋପନୀୟ ସମ୍ବାଦରେ ବୋଧହୁଏ ଶ୍ଲେଷାଳଙ୍କାର ବ୍ୟବହୃତ ହେଉଥିଲା । ନିପୁଣତା ସହକାରେ ଶ୍ଲେଷ ବା ବକ୍ରୋକ୍ତି ଅଳଙ୍କାର ଉପେନ୍ଦ୍ର ନିଜ କାବ୍ୟମାନଙ୍କରେ ସ୍ଥାନେ ସ୍ଥାନେ ବ୍ୟବହାର କରିଅଛନ୍ତି । ମିଥିଲାରୁ ଅଯୋଧ୍ୟାକୁ ଫେରିବାବେଳେ ରାମଙ୍କ ବଳ ଜାଣିବାପାଇଁ ପରଶୁରାମ ଉତ୍ସୁକ ହୋଇ ରାମଙ୍କ ପଥରେ ପହଞ୍ଚିଲେ । ନିଜ ପୁଅମାନେ ଦୁଧଖିଆ ପିଲା ପରି କହି ସେମାନଙ୍କ ସହିତ କଳହ ନ କରିବା ପାଇଁ ଦଶରଥ ପରଶୁରାମଙ୍କୁ ଅନୁରୋଧ କରିଥିଲେ । ପରଶୁରାମ ନ ମାନି ରାମଙ୍କ ସୈନ୍ୟ ମଧ୍ୟରେ ପ୍ରବେଶ କଲେ । ପରଶୁରାମ ଓ ଲକ୍ଷ୍ମଣଙ୍କ ସେତେବେଳର ପରସ୍ପର ଉକ୍ତି-ପ୍ରତ୍ୟୁକ୍ତି ବୈଦେହୀଶ-ବିଳାସରେ ବର୍ଣ୍ଣନା କରାଯାଇଅଛି:–

 

ଲ–

“ବକ୍ତା ଲକ୍ଷଣ କାହାକୁ ପଚାରିଲା ପ୍ରାୟେ

 

ବାତୁଳେ କାହୁଁ ପ୍ରବେଶ ଆମ୍ଭ ସୈନ୍ୟେ ହୁଏ ?

ପ–

ବ୍ୟାଳେ ଲୋଷ୍ଟ୍ର ପ୍ରହାରିଲା ପ୍ରାୟେ ରହି ରହି

 

ବିଷକଣ୍ଠେ କ୍ଷୀରକଣ୍ଠ କହୁଥିଲା କେହି ?

ଲ–

ବିଷକଣ୍ଠ ଯେବେ ତବ ଗୁରୁ ହେବା, ସ୍ତବ

 

ବିରତ କି ଆସିଅଛି କାହୁଁ ? କହ ଜବ ।”

 

ଲକ୍ଷ୍ମଣ ନିଜ ସୈନ୍ୟ ମଧ୍ୟରୁ କାହାକୁ ପଚାରିବା ଭଙ୍ଗୀରେ ପାଗଲଟାଏ ଆମ ସୈନ୍ୟଭିତରକୁ କାହୁଁ ଆସିଲା ବୋଲି କହି ଦେଲେ । ପରଶୁରାମ କହିଲେ, ‘ସାପକୁ ଡେଣୁଆ ଫିଙ୍ଗି ଆଘାତ କଲା ପରି ମୋତେ କଥା କହୁ ଥିବାରୁ ଏ ବିଷକଣ୍ଠ ଅଟେ । ଏହାକୁ କ୍ଷୀରକଣ୍ଠ ବା ଦୁଧଖିଆ ପିଲା କିଏ କହେ’’ ? ଲକ୍ଷ୍ମଣ କହିଲେ, “ମୁ ଯଦି ବିଷକଣ୍ଠ ତେବେ ତୁମ ଗୁରୁ ଶିବ ହେଲି-। ସେଥିପାଇଁ ମୋତେ ସ୍ତୁତି କରିବ ବୋଲି କେଉଁଠାରୁ ଶୀଘ୍ର ଆସି ଅଛ କି ?’’ ଏଠାରେ ‘ବିଷକଣ୍ଠ’ ଶବ୍ଦ କଟୁବକ୍ତା ଓ ଶିବ ଦୁଇ ଅର୍ଥରେ ବ୍ୟବହୃତ ହୋଇଅଛି ।

 

ଶ୍ଳେଷାଳଙ୍କାର, ଯଦୁମଣି ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରରେ ବହୁଳ ପରିମାଣରେ ବ୍ୟବହାର କରି ଅଛନ୍ତି । ବୃକ୍ଷ ଓ ଋଷି ଉଭୟ ନାମବାଚକ ଏକ ଏକ ଶବ୍ଦକୁ ରୈବତ-ପର୍ବତର ବର୍ଣ୍ଣନାରେ ବ୍ୟବହାର କରି ଅଛନ୍ତି । ଏଠାରେ ପ୍ରଶ୍ନ ଉଠେ, ଏକଶବ୍ଦ ବୃକ୍ଷ ଓ ଋଷି ଉଭୟ ନାମବାଚକ ହେବାର କାରଣ କଣ ? ବୌଦ୍ଧ ସନ୍ୟାସୀମାନଙ୍କୁ କେତେକ ବୃକ୍ଷ-ମୂଳରେ ବାସ କରିବା ପାଇଁ ବୌଦ୍ଧ ଶାସ୍ତ୍ରରେ ନିର୍ଦ୍ଦେଶ ଦିଆ ଯାଇଅଛି । ଏଣୁ ଅନୁମିତ ହୁଏ ଯେ, ଯେଉଁ ଋଷି ଯେଉଁ ବୃକ୍ଷମୂଳରେ ବାସ କରୁଥିଲେ ସେହି ଋଷିଙ୍କର ନାମ ଅନୁସାରେ ସେହି ବୃକ୍ଷର ନାମକରଣ ହୋଇଅଛି । ଏହିପରି ଭକ୍ତିସୂତ୍ର ପ୍ରଣେତା ଋଷିଙ୍କ ନାମ ଶାଣ୍ତିଲ୍ୟ ଓ ବେଲ ଗଛର ନାମ ଶାଣ୍ତିଲ୍ୟ ।

 

ନାୟିକାର ବନବିହାର ପ୍ରସଙ୍ଗରେ ଯଦୁମଣି ଯେପରି ଶ୍ଳେଷାଳଙ୍କାର ବ୍ୟବହାର କରି ଅଛନ୍ତି, ସେପରି ଅର୍ଥ-ବିଶିଷ୍ଟତାର ଶ୍ଳେଷ ଅନ୍ୟ କୌଣସି କାବ୍ୟରେ ବୋଧହୁଏ ନାହିଁ:-

 

“କେ କହିଲା ‘ନାଗେ- ଶ୍ୱର-ପଦ୍ମତୋଳା

ବିଦ୍ୟାରେ ନରେନ୍ଦ୍ର ମୁଁ ଅଟେ’

ଶୁଣି ବେନି ଅର୍ଥ ମଣି ରମଣୀ ଏ

ବେନି ଅର୍ଥକୁ ରଖି ରଟେ ‘

‘ତେବେ ଭୋଗୀର, ବିହାର ବିଧାନ କରିବୁ,

ରଜନୀକର ଚାଲିଲେ ସେ ନାଗର ଉଗ୍ରପରତାପ ହରିବୁ ।”

 

ନାଗେଶ୍ୱର ଓ ପଦ୍ମଫୁଲ ତୋଳିବା ବିଦ୍ୟା ଏବଂ ନାଗେଶ୍ୱର ବଜାଇବା ଓ ପଦ୍ମତୋଳା ଗାଇବା ବିଦ୍ୟା । ଭୋଗୀ-ବିଳାସୀ ଓ ସର୍ପ, ବିଳାସୀର ଫୁଲ ଓ ସର୍ପର ବାଜା-ଗୀତ ଲୋଡ଼ା । ରଜନୀବର ଚାଳିଲେ–ଚନ୍ଦ୍ର ଚାଳନା କଲେ ଓ ଧୂଳିସମୂହ (ରଜ ନିକର) ମନ୍ତ୍ରି ଫିଙ୍ଗିଲେ । ନାଗ–ରସିକର ସର୍ପର ।

 

ଅନ୍ୟାନ୍ୟ କବିଙ୍କ ପରି କେବଳ ଫୁଲ ଓ ଶିବ ଅର୍ଥରେ ଯଦୁମଣି ‘ନାଗେଶ୍ୱର’ ଶବ୍ଦ ବ୍ୟବହାର କରି ନାହାଁନ୍ତି । ଆହୁରି ଭିନ୍ନ ପ୍ରକାରର ଶ୍ଳେଷ ମଧ୍ୟ ତା’ଙ୍କ କାବ୍ୟରେ ଦେଖାଯାଏ–

 

“ଶଙ୍କରପର-ଜରେ ପଡ଼ି ରହିଲେ ଯୋଗ ଆଶାବରୀ ଗଉରୀ,

ଲଳିତ ବସନ୍ତ ଭୈରବ ଦେବାରୁ ବହିବ କୋଳାହଳ ପୁରୀ ।

ମାଳବରେ ଯେ, ହୋଇବ ଶଙ୍କରାଭରଣ,

ବିଷ-ଆହାରୀ ହୋଇବୁ ନ ଭେଟିଲେ ମୋହନମଙ୍ଗଳ-କଲ୍ୟାଣ ।।”

 

ଶଙ୍କରପର-ଜରେ–କାମ ଜ୍ୱରରେ, କେବଳ ଆଶାକୁ ବରଣ କରିବା ଘେନି (ଆଶାବରୀ) ଗୌରୀ ବା ପାର୍ବତୀ ପଡ଼ି ରହିଥିଲେ । (ସେପରି ପଡ଼ି ରହିଲେ ଏ ନାୟିକା ପାର୍ବତୀ ହେବ) କିନ୍ତୁ ଲଳିତ ବସନ୍ତ ଋତୁ ଭୈରବ (ଭୟ) ଦେବାରୁ ଏ ପୁରୀରେ କୋଳାହଳ ପଡ଼ିଛି । ମାଳଶ୍ରେଷ୍ଠଦ୍ୱାରା ଶିବଙ୍କର ଅଳଙ୍କାର ହେବ । ମଙ୍ଗଳ-କଲ୍ୟାଣ ମୋହନଙ୍କୁ ନ ଭେଟିଲେ ବିଷହାରୀ ହେବୁ ବା ବିଷ ଖାଇବୁ । ଏହି ସାଧାରଣ ଅର୍ଥ ଛଡ଼ା ‘ଶଙ୍କର-ପରଜ’ ରାଗରୁ କିପରି ଆଶାବରୀ ଓ ଗୌରୀ, ‘ଲଳିତ ବସନ୍ତ’ ରାଗରୁ ଭୈରବ ପ୍ରଭୃତି ରାଗରେ ଉତ୍ପତ୍ତି ଘଟେ, ତହିଁର ସୂଚନା ମଧ୍ୟ ଅଛି-। ସଙ୍ଗୀତଜ୍ଞମାନେ ଏହାକୁ ଆଲୋଚନା କରିବା ଉଚିତ ।

 

ଶ୍ଳେଷାଳଙ୍କାରର ଆଡ଼ମ୍ବର ନ ରଖି ଦୈନନ୍ଦିନ ଭାଷା ବ୍ୟବହାର କଲେ ମଧ୍ୟ ପରିହାସ ପ୍ରଭୃତି କଥାର ଚାତୁରୀ ରଚନାରେ କି ପ୍ରକାରେ ଫୁଟି ପାରେ ତାହା ମଧ୍ୟ ଯଦୁମଣି ଦେଖାଇ ଅଛନ୍ତି-। ଯେତେବେଳେ ରାବଣ ପାରିଷଦ ଗହଣରେ ବସିଥିଲା, ସେତେବେଳେ ରାମ ସାଗରକୂଳରେ ପହଞ୍ଚିବାର ସଂବାଦ ଦୂତ ଦେଲା । ତାହା ଶୁଣି ରାବଣ ଯାହା କହିଲା ତହିଁର ପ୍ରତ୍ୟୁକ୍ତି ବିଭିଷଣମୁଖରୁ ‘ରାଘବ-ବିଳାସ’ରେ ଯଦୁମଣି ଶୁଣାଇ ଅଛନ୍ତି–

 

ପୂର୍ବଦେବତା ଶର୍ବରାଭର୍ତ୍ତା ଆଗେ ଦୂତ ବାର୍ତ୍ତା କଲା ପ୍ରବେଶ

‘ଅଶୋକବନେ ସଶୋକେ ଥିବା ବଧୂ- ବନ୍ଧୁ ସିନ୍ଧୁ କୂଳେ ପ୍ରବେଶ’

ହାସ୍ୟ ରସରେ, ଭାସି ବୋଲଇ ଦଶଗ୍ରୀବ

ନାରୀବିହୀନେ ବାରିଧି-ଝାସେ ତନୁ ନାଶିବ ବୋଲି ଆସିଥିବ ।

ବଦତି ଅନୁଜ ପବନ-ତନୁଜ ଆଗମନୁ ଯାଇଛି ଦେଖା

ଟେକିଲା ଗାତ୍ର ସେ ଗୋତ୍ରାନ୍ତକଜିତ କୋପେ ପ୍ରଜ୍ଜ୍ୱଳି ଅଗ୍ନି ଶିଖା,

କମ୍ପି ଲଙ୍କେଶ, ତହିଁ ଅନାଇଲା ନନ୍ଦନେ,

ପ୍ରଶସ୍ତ ମସ୍ତକେ ହସ୍ତେ ନ୍ୟସ୍ତ କରି କହିଲା ଏ ଭାଷା ଚନ୍ଦନେ ।’’

 

ଅଶୋକବନରେ ଶୋକରେ ଥିବା ବଧୂର ସ୍ୱାମୀ ସିନ୍ଧୁ କୂଳରେ ପହଞ୍ଚି ଥିବାର ବାର୍ତ୍ତା ଦୂତ ପହଞ୍ଚାଇବାରୁ ଅସୁରକୁଳଚନ୍ଦ୍ର (ପୂର୍ବଦେବତା-ଶର୍ବରୀଭର୍ତ୍ତା) ରାବଣ କହିଲା, “ପତ୍ନୀ ବିୟୋଗଜନିତ ଶୋକ ହେତୁରୁ ସମୁଦ୍ର-ଗର୍ଭରେ ଝାସ ଦେବାକୁ ଆସିଥିବ ।” ବିଭୀଷଣ (ଅନୁଜ) କହିଲା, “ହନୁମାନ୍ ଆସିବା ଦିନରୁ ଜଣା ପଡ଼ିଲାଣି ।”

 

ଯେ କାପୁରୁଷ, ସେ ଲାଞ୍ଛନା ସହି ନ ପାରି ଆତ୍ମହତ୍ୟା କରେ । ବୀର ପୁରୁଷ ଲାଞ୍ଛନାର ପ୍ରତିଶୋଧ ନେବା ପାଇଁ ଅକ୍ଳାନ୍ତ ଭାବରେ କର୍ମ କରେ । ଛାର ମାଙ୍କଡ଼ଟାଏ ଯାହାର ଦୂତ ହୋଇ ଆସି ଲଙ୍କା ଛାରଖାର କରିଦେଲା, ତାହାକୁ କାପୁରୁଷ ମଣି ସେ ସମୁଦ୍ରରେ ଝାସ ଦେବାପାଇଁ ଆସିଥିବ ବୋଲି ଅନୁମାନ କରିବା ଅବିବେକିତାର ପରିଚୟ, ଏହା ବିଭୀଷଣ ରାବଣକୁ ଚେତାଇ ଦେଲା । ଏଥିରେ ରାବଣର କ୍ରୋଧ ଜାତ ହେଲା ।

 

ଭାଷା-ଚାତୁରୀ କବି ପ୍ରତିଭାର ବଡ଼ ଲକ୍ଷଣ । ଏହାର ବିକାଶ ପାଇଁ ଆଳଙ୍କାରିକମାନେ ଏହାର ଶ୍ରେଣୀ ବିଭାଗ କରନ୍ତି । ଭାଷା-ଚାତୁରୀକୁ କେହି ସୀମାବଦ୍ଧ କରି ନ ପାରେ । ବିଭୀଷଣ ଶରଣ ପଶିବା ଉତ୍ତାରୁ ରାବଣକୁ ମାରି ବିଭୀଷଣକୁ ଲଙ୍କାର ରାଜତ୍ୱ ଦେବେ ବୋଲି ରାମ ଶପଥ କରିବାରୁ ସୁଗ୍ରୀବ ଓ ରାମଙ୍କ ମଧ୍ୟରେ ଘଟିଥିବା ପ୍ରଶ୍ନୋତ୍ତର ଯଦୁମଣି ରାଘବ-ବିଳାସରେ ବର୍ଣ୍ଣନା କରି ଅଛନ୍ତି:--

 

‘‘କହେ ମିତ୍ର-ପୁତ୍ର ‘ହୋଇଲା କି ଚିତ୍ର ଚିତ୍ରଭାନୁକୁଳାମ୍ବୁଜକୁ

ସମର୍ପି ଜନକ ତନୁଜା କନକ ମହୀନ୍ଦ୍ର ଚରଣାମ୍ବୁଜକୁ

କଲେ ଆଶ୍ରିତ, କି ହେବ ଶ୍ରବଣେ ରାଘବ

ଭଣିଲେ ଜାଣିବା ବିହି ବିହି ନାହିଁ ରାଜ୍ୟଭ୍ରଷ୍ଟ କଷ୍ଟ-ଲାଘବ ।’’

 

ସୁଗ୍ରୀବ (ମିତ୍ରପୁତ୍ର-ସୂର୍ଯ୍ୟପୁତ୍ର) କହିଲେ, “ସୂର୍ଯ୍ୟବଂଶର ପଦ୍ମସ୍ୱରୂପ (ଚିତ୍ରଭାନୁକୁଳାମ୍ବୁଜ) ଆପଣଙ୍କ ପକ୍ଷରେ ଏ ଶପଥ ବଡ଼ ବିଚିତ୍ର ଅଟେ । କାରଣ ଆପଣ ଭାବିଚନ୍ତି ଏ ଶପଥ କରି ନାହାନ୍ତି । ସ୍ୱର୍ଣ୍ଣଭୂମିର ରାଜା (କନକ-ମହୀନ୍ଦ୍ର) ରାବଣ ସୀତାଙ୍କୁ ଫେରାଇ ଆପଣଙ୍କ ପାଦପଦ୍ମରେ ଶରଣ ପଶିଲେ ଆପଣ ବିଭୀଷଣକୁ ରାଜତ୍ୱ ଦେଇ ନ ପାରି ସୂର୍ଯ୍ୟବଂଶରେ ଜାତ ହୋଇ ଶପଥ-ଭଙ୍ଗର କଳଙ୍କ ଅର୍ଜିବେ ।” ରାମ କହିଲେ, “ସେତେବେଳେ ମୁଁ ବୁଝିବି ଯେ, ବିଧାତା ମୋ ଭାଗ୍ୟରେ ରାଜ୍ୟଭ୍ରଷ୍ଟ-କଷ୍ଟ ଊଣା ହେବାପାଇଁ ଲେଖି ନାହିଁ । ଅର୍ଥାତ୍ ଅଯୋଧ୍ୟାର ରାଜତ୍ୱ ଦେଇ ମୁଁ ଆଜୀବନ ବନବାସୀ ହେବି ।”

 

ଛାନ୍ଦ-କାବ୍ୟ ରଚନାର ସନ୍ଧ୍ୟାକାଳରେ ବଳଦେବ ରଥ କବିସୂର୍ଯ୍ୟ ରାୟଗୁରୁ ଆଦିରସର ସୃଷ୍ଟିରେ ଏବଂ ଯଦୁମଣି ହାସ୍ୟ ଓ ବୀରରସର ସୃଷ୍ଟିରେ ସ୍ଥାନ ଲାଭ କରିଥିଲେ । କିନ୍ତୁ କବିବର ବ୍ରଜନାଥ ବଡ଼ଜେନାଙ୍କ ହାସ୍ୟ ଓ ବୀରରସର ସୃଷ୍ଟିରେ କାବ୍ୟମାନ ବଡ଼ ଚିତ୍ତାକର୍ଷକ ହୋଇଥିଲା । ତାହାଙ୍କ ରଚିତ ‘ଚତୁର ବିନୋଦ’ ହାସ୍ୟ ରସରେ ଓ ‘ସମରତରଙ୍ଗ’ ବୀରରସରେ ପୂର୍ଣ୍ଣ । ଢେଙ୍କାନାଳର ରାଜାଙ୍କ ସହିତ ମରହଟ୍ଟାମାନଙ୍କର ଯୁଦ୍ଧ ହୋଇଥିଲା । ସେହି ସାମସାମୟିକ ଘଟଣାର ଅବଲମ୍ବନରେ ‘ସମର ତରଙ୍ଗ’ ରଚିତ ହୋଇଅଛି । ଏହାର ଭାଷା କିପରି ଓଜସ୍ଵିନୀ, ପାଠକେ ନିମ୍ନୋଦ୍ଧୃତ ଉଦାହରଣରୁ ବିଚାର କରନ୍ତୁ–

 

“ଶୁଣି ଏମନ୍ତ ବଚନ ତହିଁ,

ନିଶେ ନିଃଶଙ୍କେ କରପକାଇ

ସହି ନ ପାରି ବୋଇଲେ କେହି

ଚିହ୍ନରା ନାହିଁ ଯେ

ଖାଉନ୍ଦ ବୋଲି ବୋଇଲେ ଏହା

ନୋହିଲେ ନିକି ଯାଆନ୍ତା ସୁହା ।

କେବଳ ଗଣ୍ଡି ଦେଖିବ

ମୁଣ୍ଡ ଦେଖିବ ନାହିଁ ଯେ ।”

 

“ତୁଚ୍ଛାରେ ନିଶ ମୋଡ଼ୁ ଥାଅ, ଏତେବେଳେ ବୀରତ୍ୱ ଦେଖିବା’’ ଏହା ରାଜା କହିବାରୁ ଜଣେ ପାଇକ ଉତ୍ତର ଦେଇଥିଲା-“ଏଠାରେ କେହି ଚିହ୍ନିବା ଲୋକ ନାହାନ୍ତି । ଆପଣ ରାଜା ବୋଲି ଏହା କହିଲେ । ଅନ୍ୟ କେହି ଏପରି କହୁଥିଲେ ସହି ନଥାନ୍ତୁ । ଶତ୍ରୁ ପକ୍ଷର ସମସ୍ତଙ୍କର ମୁଣ୍ଡ ଗୁଣ୍ଡ କରି ଉଡ଼ାଇ ଦେବୁ, କାହାରି ମୁଣ୍ଡ ଦେଖିବେ ନାହିଁ ।”

 

ପ୍ରାଚୀନ ଓଡ଼ିଆ ସାହିତ୍ୟ ସହିତ ପ୍ରାଚୀନ ବଙ୍ଗଳା ସାହିତ୍ୟ ତୁଳନାଯୋଗ୍ୟ ନୁହେ । କାରଣ ତହିଁରେ ବର୍ଣ୍ଣନା ବା ରସର ବୈଚିତ୍ର୍ୟ ନାହିଁ । ପ୍ରାଚୀନ ବଙ୍ଗଳା ସାହିତ୍ୟ କେବଳ ପ୍ରେମ ଭକ୍ତିରେ ବୁଡ଼ି ଯାଇଅଛି । ତାମିଲୀ ସାହିତ୍ୟର ଇତିହାସରୁ ଜଣାଯାଏ ଯେ, ସେ ଭାଷାର ପ୍ରାଚୀନ ସାହିତ୍ୟ ବୀର-ରସରେ ଉଛୁଳି ଅଛି । ରଣ-କ୍ଷେତ୍ରରେ ନିହିତ ପୁତ୍ରକୁ ଦେଖି ନିଜ ସ୍ତନ୍ୟର ବୀରତ୍ୱବର୍ଦ୍ଧକ ଶକ୍ତିର ଅଭାବରୁ ସନ୍ତାନ ନିହିତ ହୋଇ ଅଛି ବୋଲି ଅନୁତାପ କରି ମାତା କାନ୍ଦି ଥିବର ପ୍ରାଚୀନ ତାମିଲୀ ସାହିତ୍ୟରେ ବର୍ଣ୍ଣନା କରାଯାଇ ଅଛି । ଭାରତୀୟ ପ୍ରତ୍ୟେକ ରାଜ୍ୟ-ଭାଷାରେ ସାହିତ୍ୟର ଇତିହାସ ପଢ଼ି ଓଡ଼ିଆ ସାହିତ୍ୟକୁ ତୁଳନା କରିବାକୁ ହେବ । ଅକ୍ଷର ନିୟମର ଅର୍ଥାତ୍ କୌଣସି କୌଣସି କାବ୍ୟର ପ୍ରତ୍ୟେକ ଚରଣର ଆଦ୍ୟରେ ଏକ ବର୍ଣ୍ଣ ବ୍ୟବହାରରେ ଇତିହାସ ଅନୁସନ୍ଧାନ କରିବାକୁ ହେବ । ସରୋଷ୍ଠକ, ଓ ନିରୋଷ୍ଠକ, ଅବନା, ବନ୍ଧ ପ୍ରଭୃତି ଅଳଙ୍କାର ଓଡ଼ିଆ ଛନ୍ଦ-କାବ୍ୟର ବିଶିଷ୍ଟତା ହେଲା କିପରି, ତାହା ମଧ୍ୟ ଗବେଷଣା କରିବାକୁ ହେବ-। ଅର୍ଥାଳଙ୍କର ଅଭିବ୍ୟକ୍ତିର ସୌନ୍ଦର୍ଯ୍ୟ ବଢ଼ାଏ । ଅର୍ଥାଳଙ୍କାର ମଧ୍ୟରୁ ବିଶେଷତଃ ଦୃଷ୍ଟାନ୍ତାଳଙ୍କାରଟି ଅଭିବ୍ୟକ୍ତିକୁ ପରିସ୍ଫୁଟ କରେ । ଅନ୍ୟାନ୍ୟ ଅର୍ଥାଳଙ୍କାର ସହିତ ଏ ଅଳଙ୍କାର ଆମ ଛନ୍ଦକାବ୍ୟମାନଙ୍କରେ ବହୁଳ ପରିମାଣରେ ବ୍ୟବହାର କରାଯାଇ ଅଛି । ଏହା ଛଡ଼ା ଉକ୍ତିର ସମର୍ଥନ ନିମନ୍ତେ ପୌରାଣିକ ଘଟନାର ସଂକ୍ଷିପ୍ତ ଉଲ୍ଲେଖ କରାଯାଇଥାଏ । ଇଂରେଜୀ ସାହିତ୍ୟରେ ଏହାକୁ ଆଲ୍ୟୁଜନ୍ (allusion) କହନ୍ତି । ଦୃଷ୍ଟାନ୍ତାଳଙ୍କାର ଓ ପୌରାଣିକ ଘଟନାର ସଂକ୍ଷିପ୍ତ ଉଲ୍ଲେଖଦ୍ଵାରା ପାଠକର ଜ୍ଞାନ, ଦେଶ, କାଳ, ପାତ୍ରରେ ସୀମାବଦ୍ଧ ନୋହି କିପରି ପ୍ରାସାରିତ ହୁଏ ଓ ବିରାଟ ରୂପ ଧାରଣ କରେ ତାହା ନିମ୍ନୋଦ୍ଧୃତ କେତୋଟି ଉଦାହରଣରୁ ପାଠକେ ବୁଝି ପାରିବେ ।

 

କୃଷ୍ଣ ମଥୁରାକୁ ଯିବା ବେଳେ କୃଷ୍ଣ ଓ ଗୋପୀଙ୍କ ମଧ୍ୟରେ ଉକ୍ତି-ପ୍ରତ୍ୟୁକ୍ତି–(ର: କ: ୨୬ ଛାନ୍ଦ )

 

ଗୋପୀ–କଣ୍ଠରେ ଥିବା ମାଳା କାଟି ଦେଉଛି ଗଳା

କହିବାକୁ ଏ କଥା ଲାଜ; (ଠାରୁ)

କେତେ ନୂଆ ଅପାଙ୍ଗ ମଣ୍ଡି ହୋଇବ ଅଙ୍ଗ

କେତେ ଶୁଣିବ ନୂଆ ବାଣୀ । (ପର୍ଯ୍ୟନ୍ତ)

କୃଷ୍ଣ–କେଡ଼େ ମଧୁର ନୂଆଗୁଡ଼ କରଇ ଅବିଗୁଣ ବଡ଼

କାଳ ଦୀର୍ଘକୁ ପାଇ କେତେ ଗୁଣ କରଇ

ଏଠାରେ ପିତା ଭାବ ଛାଡ଼ି।

 

ଚନ୍ଦ୍ରଭାନୁ ସହିତ ଲାବନ୍ୟବତୀର ନିଶାରେ ଭେଟ ହେବା ଉତ୍ତରା ପ୍ରଭାତରେ ସଖୀମାନଙ୍କ ବିଚାର –

 

“ଚିକୁର ଶୋଭୀ ମୁକୁର ପ୍ରତିବମ୍ବ ଅଲିଙ୍ଗନେ ଯେବେ ଆସିବ

ମୃଗତୃଷ୍ଣା ଜଳ ତୃଷାକୁ ନାଶିବ ସ୍ଵପ୍ନ ତେବେ ସତ ଦିଶିବ

କହେ ସଚିବ-ସୁତା ସବୁ ବଡ଼ ଦଇବ,

କାହା ମନେ ଥିଲା ଅଗାଧ ସମୁଦ୍ର ଚଳୁ ଭିତରେ ସମ୍ଭାଇବ’ ।

ସେ ପୁଣି ବୋଇଲା ‘ସେ କଥା ସେ ରୂପେ, ଏକଥା କୁଜ୍ଝଟି-ପ୍ଳବନ,

ପବନକୁ ପାଶ ପାତି ବସିଥିଲେ ସେ କାହୁଁ ହୋଇବ ବନ୍ଧନ ?

ପୁଣି ସେ କହେ, ‘ଉଷା-ଅନିରୁଦ୍ଧ କେମନ୍ତ’ ?

ସେ ବୋଲେ, ‘ସତେ ଯଦୁପୁର ସେ ଥିଲେ, ଜାଣିଲେ ଏ କାହୁଁ ସମ୍ଭୂତ

ପୁଣି ସଖୀ କହେ, ‘ଦୁଃଖ ସହି ଧୈର୍ଯ୍ୟ ହେଲେ କାର୍ଯ୍ୟ ଲଭି ଅବଶ୍ୟ

ହରି-ଅରି-ଘାତ ସହି ରହିଲାରୁ ରାହୁ ପିଇଛି ତ ପୀୟୂଷ,

ତୁ ଯେ ତୃଷାର୍ତ୍ତୀ-ଚାତକୀ ତୋ ତୃଷା ହରିବ,

ମଙ୍ଗଳ ଚଳନେ ଉଇଁଲା ଘନ କି ଜଳ ବରଷା ନ କରିବ ?”

 

ଜୀବନର ସମାଲୋଚନାକୁ ସାହିତ୍ୟ କହନ୍ତି । ଏହି ଉଦାହରଣମାନଙ୍କରେ ଲାବଣ୍ୟବତୀର ଜୀବନକୁ ସମାଲୋଚନା କରାଯାଇ ଅଛି । ପୁଣି କବି ନିଜର ଅଭିଜ୍ଞତାମାନ ପାଠକ ହୃଦୟରେ ଥୋଇ ଦେଉ ଅଛନ୍ତି । ଅନେକ ସମୟରେ କବିମାନେ ନିଜ ଅଭିଜ୍ଞତାର ପ୍ରତ୍ୟକ୍ଷ ରୂପ ଥୋଇ ଦେଇ ଥାନ୍ତି–

 

“ବୃଦ୍ଧ ହେଲେ ବାଳକେ ତିଆରି କହଇ ବାଣୀ ।” (ଲ;ବ) ।

“କେବଳ, ଭଲକାଳେ ଭଲ ସଭିଏ;

କେ ଅବା ଅଭଲେ ଅଭଲ ନୋହିଛି ବିଚାରି କହିଲ ସଭିଏ ।” (ଚ;କ) ।

 

ସଂସ୍କୃତ କାବ୍ୟମାନଙ୍କର ଅନୁକରଣରେ ଓଡ଼ିଆ ଛାନ୍ଦ-କାବ୍ୟ ବଢ଼ି ଉଠିଛି । ଏଣି ସଂସ୍କୃତ ସାହିତ୍ୟର ପ୍ରଭାବ ଛାନ୍ଦ–କାବ୍ୟରେ ରହିବା ସ୍ଵାଭାବିକ । ବିସ୍ତୃତ ଭାବେ ତାହା ଆଲୋଚନା କରିବା ପାଇଁ ଏଠାରେ ଅବକାଶ ନାହିଁ । ପାଠକମାନଙ୍କ ବିଶ୍ୱାସ ଜନ୍ମାଇବା ପାଇଁ ଏଠାରେ କେବଳ ଗୋଟିଏ କଥା ଉଲ୍ଲେଖ କରିବାକୁ ହେବ । ପାର୍ବତୀଙ୍କୁ ବିବାହ କରିବାପାଇଁ ପାର୍ବତୀଙ୍କ ପିତାଙ୍କ ନଗର-ଦାଣ୍ଡରେ ଶିବ ଯାତ୍ରା କଲାବେଳର ପୁରନାରୀଙ୍କ ଅବସ୍ଥାକୁ କାଳିଦାସ ଯେପରି କୁମାରସମ୍ଭବରେ ବର୍ଣ୍ଣନା କରି ଅଛନ୍ତି, ରାମ ମିଥିଳା–ଦାଣ୍ଡରେ ଯାତ୍ରା କରିବାବେଳର ମିଥିଳା-ପୁରନାରୀଙ୍କ ଅବସ୍ଥାକୁ ବୈଦେହୀଶ ବିଳାସରେ ଉପେନ୍ଦ୍ର ସେପରି ବର୍ଣ୍ଣନା କରିଅଛନ୍ତି–

 

“ବିଲୋଚନଂ ଦକ୍ଷିଣମଞ୍ଜନେନ ସମ୍ଭାବ୍ୟ ତଦ୍‍ବଞ୍ଚିତ ବାମନେତ୍ରା,

ତଥୈବ ବାତାୟନସନ୍ନିକର୍ଷଂ ଯଯୌ ଶଳାକାମପରା ବହନ୍ତି ।

ଜାଳାନ୍ତର ପ୍ରେଷିତ ଦୃଷ୍ଟିରନ୍ୟା ପ୍ରସ୍ଥାନଭିନ୍ନାଂ ନ ବବନ୍ଧ ନୀବୀମ୍,

ନାଭିପ୍ରବିଷ୍ଠାଭରଣପ୍ରଭେଣ ହସ୍ତେନ ତସ୍ଥାବବଲମ୍ବ୍ୟ ବାସଃ ।”

 

ଭଞ୍ଜଙ୍କ ଭାଷାରେ–

 

“ବକ୍ଷ ସ୍ଥଳେ କେଉଁ ବାଳା କିଙ୍କିଣିକି ଲମ୍ବାଇଲା

ଚାପସରୀକି ଖଞ୍ଜିଲା ମଧ୍ୟ-ଦେଶରେ ।

ବେଶକାରୀ କେ କାହାର ସିନ୍ଦୂର ଦେଲା ପୟର

ଚିତା ଲଲାଟରେ ଲେଖେ ଲକ୍ଷା-ରସରେ ।

ବିବନ୍ଧ କରେ କେ ଚିକୁର । ବେଗେ କଙ୍କତିକାରେ ସାମଳେ ଚାମର”

 

ଆମ ଦେଶର ନାରୀମାନେ ବର ଦେଖିବାର ଉତ୍ସୁକତାରେ ଘରଭିତରୁ ଦାଣ୍ଡଦ୍ୱାରକୁ ଆସିବା ସାଧାରଣ ପ୍ରଥା । ମଥୁରାଦାଣ୍ଡରେ କୃଷ୍ଣଙ୍କ ଯାତ୍ରାକାଳରେ ପୁରନାରୀଙ୍କ ଅବସ୍ଥା ଭକ୍ତଚରଣ ଦାସ ମଥୁରାମଙ୍ଗଳରେ ବର୍ଣ୍ଣନା କରି ଅଛନ୍ତି । ଭାଗବତ ପୁରାଣରେ ମଧ୍ୟ ସେପରି ବର୍ଣ୍ଣନା ଅଛି ।

 

ବିଟ ପୁରୁଷ ନିକଟରୁ ପ୍ରଭାତ କାଳରେ ଫେରିବାବେଳର ବିଟପୀର ଅବସ୍ଥାକୁ ମୟୂର-କବି ସଂସ୍କୃତ ଭାଷାରେ ଯେପରି ବର୍ଣ୍ଣନା କରି ଅଛନ୍ତି, ମଧୁଶଯ୍ୟାର ପର ପ୍ରଭାତରେ ନାୟକ ନିକଟରୁ ଫେରିବାବେଳର ନାୟିକାର ଅବସ୍ଥାକୁ ଉପେନ୍ଦ୍ର ‘କୋଟି ବ୍ରହ୍ମାଣ୍ଡ-ସୁନ୍ଦରୀ’ରେ ପ୍ରାୟ ସେପରି ବର୍ଣ୍ଣନା କରି ଅଛନ୍ତି–

 

ଏଷା କା ଭୁକ୍ତମୁକ୍ତା ପ୍ରଚଳିତନୟନା ସ୍ଵେଦଲଗ୍ନାଙ୍ଗବସ୍ତ୍ରା

ପ୍ରତ୍ୟୁଷେ ଯାତି ବାଳା ମୃଗ ଇବଚକିତା ସର୍ବତଃ ଶଙ୍କୟନ୍ତୀ ।

କେନେଦଂ ବକ୍ତ୍ରପଦ୍ମଂ ସ୍ଫୁରଦଧରସଂ ଷଟ୍‍ପଦେନୈବ ପୀତଂ

ସ୍ଵର୍ଗଃ କେନାଦ୍ୟଭୁକ୍ତୋ ହରନୟନହତୋ ମନ୍ମଥଃ କସ୍ୟ ତୁଷ୍ଟଃ ।।

ପୁଣି

ବିଭ୍ରାନ୍ତା ହାରିଣୀ ବିଲୋଳନୟନା ସଂତ୍ରସ୍ତଯୂଥୋଦ୍‍ଗତା ।

ବାମେନାବେଷ୍ଟଯନ୍ତୀ ଅବିରଳ କୁସୁମଂ କେଶଭାରଂ କରଣେ ।।

 

କୋଟୀ ବ୍ରହ୍ମାଣ୍ଡ ସୁନ୍ଦରୀରେ ଅଛି–

 

କେ ଭାଷେ, ‘ହରିଣୀ ନବ ବାଳା, ଚଞ୍ଚଳଚାହାଣି ନ ଛାଡ଼ିଲା,

ଏହି କ୍ଷଣି ସିନା ଫିଟି ଆସି ଅଛି କାନ୍ତବାହୁ ପାଶେ ପଡ଼ିଥିଲା ।’

‘ନୀବୀବନ୍ଧ ବୋଲି ସର୍ବେ କହି, ବାନ୍ଧୁ ପୁନଃ ପୁନଃ ଫିଟିଯାଇ ।’

‘ସ୍ଵେଦ ଛାଡ଼ି ନାହିଁ ଅଙ୍ଗସୀମା ଲବଣୀ-ପିତୁଳା ନବ ରାମା ।’

 

ସଂସ୍କୃତ କାବ୍ୟ ଗୁରୁ ଓ ଟୀକାର ସାହାଯ୍ୟ ନ ନେଲେ ବୁଝି ହୁଏ ନାହିଁ । ପ୍ରଧାନ ପ୍ରଧାନ ଓଡ଼ିଆ ଚ୍ଛାନ୍ଦ-କାବ୍ୟ ବିଝାଇବାପାଇଁ ଏ ଯୁଗରେ ଗୁରୁ ମିଳୁ ନାହାନ୍ତି । କେତେକ ପଣ୍ଡିତ ଟୀକା ଲେଖି ଆମ ଧନ୍ୟବାଦର ପାତ୍ର ହୋଇ ଅଛନ୍ତି । କିନ୍ତୁ ସେମାନଙ୍କର ଟୀକା ସର୍ବତ୍ର ନିର୍ଦ୍ଦୋଷ ନୁହେ-। ପଣ୍ଡିତ ୰ବୀରଭଦ୍ର ମହାପାତ୍ର ଓ ୰ଭୁବନେଶ୍ଵର ରଥ ବିଦିଗ୍ଧ-ଚିନ୍ତାମଣିର ପ୍ରାଚୀ-ସମିତ ସଂସ୍କରଣର ଟୀକା ଲେଖିଥିଲେ ବୋଲି ଶ୍ରୀଯୁକ୍ତ ବିଚ୍ଛନ୍ଦଚରଣ ପଟ୍ଟନାୟକ ଭୂମିକାରେ ଲେଖିଥିଲେ-। କିନ୍ତୁ ସେମାନଙ୍କ ଟୀକାରେ ସ୍ଥାନେସ୍ଥାନେ ଦୋଷ ରହି ଯାଇଅଛି । ବିଶେଷତଃ ଅନ୍ତର୍ଲିପି ଓ ବହିର୍ଲିପି ଅଳଙ୍କାର-ନିହିତ ଗୋଟିଏ ପଦର (ଛା. ୩୪, ପ: ୩୮ ) ଅର୍ଥ ବିଦିଗ୍ଧଚିନ୍ତାମଣିରେ ଯେପରି ଦିଆ ଯାଇଅଛି ତାହା ଅସଙ୍ଗତ ହୋଇଅଛି । ଟୀକା ସହିତ ମିଳାଇ ପାଠକମାନେ ଆଲୋଚନା କରିବା ଆଶାରେ ଅର୍ଥ ସହିତ ପଦଟି ତଳେ ଉଦ୍ଧାର କରାଯାଉଅଛି–

 

“ଚାରିବେଦ ନାମ ତିନି ବର୍ଣ୍ଣେ ବିରଚନା,

ମଧ୍ୟ ଦାନ କଲେ ସେ ମୋ ଚାରିବର୍ଗ ସିନା,

ଚାରି ଦେବୀ ନାମ ଏହି ବିଧିରେ ବିଧାନ

ବିତରଣୀ ହେଲେ ହେବ କେ ନୋର ସମାନ ?

 

ଚାରି ବେଦର ନାମ ମଧ୍ୟରୁ କେବଳ ‘ଅଥର୍ବ’ ନାମଟି ତିନି ବର୍ଣ୍ଣର ଅଟେ । ଏହାର ମଧ୍ୟ ବର୍ଣ୍ଣ ‘ଥ’ର ଅର୍ଥ ଥାଅ ବା ରହ । ଚାରି ବର୍ଣ୍ଣରେ ଦେବୀର ନାମ ‘ଅନ୍ନପୂର୍ଣ୍ଣା’ ।

 

ରାଧାଙ୍କ ସହିତ କୃଷ୍ଣଙ୍କର ନିଶାରେ ଭେଟ ହେବା ଉତ୍ତାରୁ ନିଜ ଘରଠାରେ ବିଳାପ କରୁଥିବାବେଳେ କୃଷ୍ଣଙ୍କ ମୁଖରୁ କବି ଉଦ୍ଧୃତ ପଦଟି ଶୁଣାଇ ଅଛନ୍ତି । କୃଷ୍ଣ କହୁ ଅଛନ୍ତି ଯେ ସେ ଏଣିକି ରାଧାଙ୍କ ଘରକୁ ଗଲେ ରାଧା ଯଦି ତାଙ୍କୁ ‘ଥ’ ଅର୍ଥାତ୍ ‘ରହ’ କହିବେ ଓ ଅନ୍ନ ଅର୍ଥାତ୍ ଖାଇବାକୁ ଦେବେ ତେବେ ସେ କୃତାର୍ଥ ହେବେ । ‘ଅଥର୍ବ’ ନାମର ମଧ୍ୟ ବର୍ଣ୍ଣ ‘ଥ’ ହୋଇଥିବାରୁ ଏହା ଅନ୍ତର୍ଲିପି ହେଲା । ‘ଅନ୍ନପୂର୍ଣ୍ଣା’ ନାମରେ ‘ଅନ୍ନ’ ବହିର୍ବର୍ଣ୍ଣ ହୋଇ ଥିବାରୁ ଏହା ବହିର୍ଲିପି ହେଲା-। କିନ୍ତୁ ପଣ୍ଡିତମାନେ ଏ ପଦର ସୁଦୀର୍ଘ ଟୀକା ଲେଖି ଥିଲେ ମଧ୍ୟ ଅର୍ଥ ସଙ୍ଗତ ବା ପ୍ରାଞ୍ଜଳ ହୋଇ ନାହିଁ । ଛାନ୍ଦ-କାବ୍ୟମାନଙ୍କରେ କ୍ଳିଷ୍ଟତା-ଦୋଷ ଥିବାର ସ୍ଵୀକାର କରିବାକୁ ହେବ । ଏଣୁ ବିଦଗ୍ଧ ଚିନ୍ତାମଣିର ଯେଉଁ ପଦରେ ‘ଅଚିନ୍ତ୍ୟ ଭେଦାଭେଦ’ ମତ ସନ୍ନି ବେଶିତ ହୋଇଅଛି ତାହାର ପାଠ ଓ ଟୀକାରେ ପଣ୍ଡିତମାନଙ୍କର ଭ୍ରମ ରହିବା ଦୋଷାବହ ନୁହେ ।

 

ନାୟକ-ନାୟିକାଙ୍କ ଚରିତ୍ରରେ କେତେକ ସମାଲୋଚକ ଇନ୍ଦ୍ରିୟାସକ୍ତ ପ୍ରେମର ଦୋଷ ଆରୋପ କରନ୍ତି । କିନ୍ତୁ କବି ନିଶାରେ ନିକାଞ୍ଚନରେ ସେମାନଙ୍କୁ ଭେଟ କରାଇ ସେମାନଙ୍କ ଇନ୍ଦ୍ରିୟସମ୍ଭୋଗ ବିବାହର ଆବଦ୍ଧ ନୋହିବା ପର୍ଯ୍ୟନ୍ତ କୌଣସି ଠାରେ ବର୍ଣ୍ଣନା କରି ନାହାନ୍ତି । ଇନ୍ଦ୍ରିୟାସକ୍ତି ଥିଲେ ବିବାହ ପର୍ଯ୍ୟନ୍ତ ଅପେକ୍ଷା ନ କରି ସମାଜ-ବିଧି ଲଙ୍ଘନ କରି ଥାନ୍ତେ । ନାୟିକାମାନଙ୍କର ସ୍ଵାଭାବସୁଲଭ ଲଜ୍ଜା-ଗୁଣ ମଧ୍ୟ ମଧୁଶ୍ୟଯ୍ୟା-ଗୃହକୁ ଯିବାବେଳେ ଚିତ୍ର କରାଯାଇ ଅଛି । କେବଳ ରୂପରେ ଆକର୍ଷଣୀଶକ୍ତି ବର୍ଣ୍ଣନା କରାଯାଇ ଅଛି । ଶୂନ୍ୟବାଦର ଖଣ୍ଡନ ପାଇଁ ଏପରି ବର୍ଣ୍ଣନା ଅଭିପ୍ରେତ ହୋଇ ଥିବାରୁ ଅନୁମିତ ହୁଏ । ତଥାପି ରୂପରେ ଆକର୍ଷଣୀ ଶକ୍ତିକୁ ବଳବତୀ ବୋଲି ଉପେନ୍ଦ୍ର କହି ନାହାନ୍ତି । ସେ ଲାବଣ୍ୟବତୀରେ ଲେଖି ଅଛନ୍ତି, “ସୁବର୍ଣ୍ଣ ସୀତାରେ ବଶ ଶ୍ରୀରାମ; ଯାହାର ଯହିଁରେ ବଳଇ ପ୍ରେମ ।” ବାସ୍ତବିକ, ଜଣକ ପ୍ରତି ଅନ୍ୟ ଜଣଙ୍କର କାହିଁକି ଅନୁରାଗ ଜନ୍ମେ କହି ହେବ ନାହିଁ । ସୁନ୍ଦରୀ ନାରୀ ଅସୁନ୍ଦର ପୁରୁଷ ପ୍ରତି ଓ ସୁନ୍ଦର ପୁରୁଷ ସୁନ୍ଦରୀ ଭାର୍ଯ୍ୟା ଛାଡ଼ି ଅସୁନ୍ଦରୀ ନାରୀ ପ୍ରତି ପ୍ରୀତି ଢାଳି ଥିବାର ଦେଖାଯାଏ । ପ୍ରୀତି ଜନ୍ମିଲେ ଉଭୟଙ୍କୁ ପରସ୍ପରର ରୂପ-ଗୁଣ ବଳେ ବଳେ ସୁନ୍ଦର ଦିଶିବ । ସେ ଦୃଷ୍ଟିରୁ ରୂପର ଉତ୍କର୍ଷ-ବର୍ଣ୍ଣନାରେ ଇନ୍ଦ୍ରିୟାସକ୍ତିର ଦୋଷ ଆରୋପ କରାଯାଇ ନ ପାରେ ।

 

କବି ନାୟକ-ନାୟିକାଙ୍କ ପ୍ରତି କାବ୍ୟୋଚିତ ସୁବିଚାର କରି ଅଛନ୍ତି କି ନାହିଁ ତାହା ବିଚାର କରିବାର ସୁଯୋଗ ଛାନ୍ଦ-କାବ୍ୟ-ମାନଙ୍କରୁ ମିଳେ ନାହିଁ । କାରଣ ତହିଁରେ କାହାରି ଜୀବନରେ ଦଶା ବିପର୍ଯ୍ୟୟ ଘଟି ନାହିଁ । କୌଣସି ନାୟକର ଜୀବନରେ ଘଟନା-ବୈଚିତ୍ର୍ୟ ନାହିଁ । ସବୁ କାଳ୍ପନିକ କାବ୍ୟର ନାୟକ-ନାୟିକା ଏକ ଛାଞ୍ଛରେ ଢଳା ହେଲାପରି ହୋଇ ଥିବାରୁ ଚରିତ୍ର-ବୈଚିତ୍ର୍ୟ ମଧ୍ୟ ନାହିଁ । ନାୟକ ନାୟିକାମାନେ ଓଡ଼ିଶାରେ ନୁହନ୍ତି । ତଥାପି ସେମାନଙ୍କୁ ଓଡ଼ିଆ ସମାଜରେ ବଢ଼ିଥିଲା ପରି ଚିତ୍ର କରାଯାଇ ଅଛି । ଉପେନ୍ଦ୍ର ସୁଭଦ୍ରା-ପରିଣୟରେ ଅର୍ଜ୍ଜୁନଙ୍କୁ ନାୟକ ରୂପରେ ପାଇ ମଧ୍ୟ ଅଭିନବ ଚରିତ୍ର ସୃଷ୍ଟି କରି ନାହାନ୍ତି । ଏ ଦିଗରେ ସ୍ଵାଧୀନତାର ବ୍ୟବହାର ନ କରି ଶବ୍ଦ-ପ୍ରୟୋଗରେ କରି ଅଛନ୍ତି । ଅନେକ ସ୍ଥଳରେ ସଂସ୍କୃତ ଶବ୍ଦମାନଙ୍କୁ ଅଭିନବ ଅର୍ଥରେ ବ୍ୟବହାର କରି ଅଛନ୍ତି :-

 

“ଟେକି ମୁକୁଟ ଡାକେ କୁକୁଟ ସେ ବାଣୀ ଭାର୍ଯ୍ୟାପତିଙ୍କି କୂଟ ।” (ଲା:ବ:) ଏଠାରେ ‘କୂଟ’ ଶବ୍ଦ ମିଥ୍ୟା ବା ପ୍ରତରଣା ଅର୍ଥରେ ବ୍ୟବହୃତ ନ ହୋଇ ‘କଟୁ’ ଅର୍ଥରେ ବ୍ୟବହୃତ ହୋଇଅଛି-। ଏ ଅର୍ଥରେ ସଂସ୍କୃତ ସାହିତ୍ୟରେ ଏହାର ବ୍ୟବହାର ଦେଖାଯାଏ ନାହିଁ । ଏହିପରି ‘ରମା’ ଶବ୍ଦକୁ ‘ମାର-ବିପରୀତ’ ଓ ‘ଋଷ୍ୟଶୃଙ୍ଗ’ ନାମକୁ ‘ବିଷାଣ ଋଷ୍ୟ’ କହିବାରେ ତାହାଙ୍କ ଚତୁରତାର ପରିଚୟ ମିଳେ । କିନ୍ତୁ ପାଠକମାନେ ଅର୍ଥ ସହଜରେ ବୁଝି ପାରନ୍ତି ନାହିଁ । ତଥାପି ପାଠକମାନେ ଛାନ୍ଦ-କାବ୍ୟ ପଢ଼ିବାକୁ ଆଗ୍ରହ ପ୍ରକାଶ କରନ୍ତି । ଛାନ୍ଦମାନଙ୍କ ରାଗରେ ଏପରି ମୋହିନୀ ଶକ୍ତି ଅଛି ଯେ, କୌଣସି ଗାୟକ କୌଣସି ଛାଦ ଗାଉଥିଲେ ତାହା ମୁଖସ୍ଥ କରିବା ପାଇଁ ଶ୍ରୋତାର ମନ ବଳେ ।

 

ସୂକ୍ଷ୍ମ ଆଲରାଚନା କଲେ ଛାନ୍ଦ-କାବ୍ୟମାନଙ୍କରୁ ଅନେକ ତଥ୍ୟ ଆବିଷ୍କାର କରାଯାଇ ପାରେ । ନାରୀ-ଜାତିକୁ ମୂର୍ତ୍ତିମତୀ ଶକ୍ତି ରୂପରେ ଉପଲବ୍ଧି କରିଥିବାରୁ ଆମ ଦେଶରେ ତନ୍ତ୍ର-ପୂଜା ପ୍ରଚଳିତ ହୋଇଥିଲା । ଏଣୁ ନାୟିକା ନିକଟରେ ନାୟକ ଛାନ୍ଦ-କାବ୍ୟମାନଙ୍କରେ ଆପଣାକୁ ଦାସ ରୂପରେ ଉପସ୍ଥାପିତ କରିଅଛି । ନାୟିକା ମଧ୍ୟ ଦାସୀ ରୂପରେ ପତି ନିକଟରେ ରହିବା ପାଇଁ ଆଗ୍ରହ ପ୍ରକାଶ କରୁଥିଲା । ଏପରିକି ପରସ୍ପରର ସେବା ମନୋବୃତ୍ତି ବର୍ଣ୍ଣନା କରାଯାଇଅଛି । ଉପେନ୍ଦ୍ର ଲେଖିଅଛନ୍ତି–

 

“କେଶୁ କୁରୁଣ୍ଟକ, ପକାଇ ବୋଇଲା ଏ ନାମେ ଡାକ ।”

 

କୁରୁଣ୍ଟକ ଫୁଲକୁ ‘ଦାସକେରଣ୍ଟା’ କହନ୍ତି । ଦାସୀ ନାମରେ ଡାକିବା ପାଇଁ ନାୟିକା ସୂଚନା ଦେଇଅଛି । ବିରାଗଭାଜନ ହେବା ଭୟରେ ଲାବଣ୍ୟବତୀ ନିଜ ଅହଙ୍କାର ପରିତ୍ୟାଗ କରିବାକୁ ମଧ୍ୟ ଯତ୍ନ କରିଅଛ–

 

“ଆଣି କାଗଜକୁ ନବ ବାଳୀ, ଅନୁରାଗୁ ନ ଲେଖିଲା କାଳୀ କୁଙ୍କୁମେ ଲିଖିତ ନିଜ ବର୍ଣ୍ଣ ଭାଳି ଆଳୀଙ୍କ ନାମରେ ଛଳି । ସେ ସୁନ୍ଦରୀ କୁଙ୍କୁମରେ ଲାବଣ୍ୟବତୀ ଚିଠି ଲେଖିଲା । କିନ୍ତୁ ନିଜ ବର୍ଣ୍ଣର ବଡ଼ାଇ କୁଙ୍କୁମରେ ଦେଖାଇ ଅଛି ବୋଲି କାଳେ ଭାବୀ ପତି ବିଚାରିବେ, ଏଥିପାଇଁ ସଖୀମାନଙ୍କ ନାମ ଦେଇ ସଖୀମାନେ ସେ ଚିଠି ଲେଖିଥିଲା ଭଳି ସେ ଚିଠି ଲେଖିଲା । ନିଜ ରୂପ ଅହଙ୍କାରର ପରିଚୟ ଦେଲା ନାହିଁ ।

 

ଉପରେ କେଶରୁ କୁରୁଣ୍ଟକ ଫୁଲ ପକାଇବାର ଯାହା କୁହାଯାଇଅଛି, ତାହାକୁ ସୃଷ୍ମାଳଙ୍କାର କହନ୍ତି । ଏପରି ଅଳଙ୍କାରରେ ଅଭିବ୍ୟକ୍ତିର ସୌନ୍ଦର୍ଯ୍ୟ ବଢ଼େ । ସରଳ ଭାଷାରେ କାର୍ଯ୍ୟର ବର୍ଣ୍ଣନା ଭିତରେ ହୃଦୟର ଉଦ୍ଦେଶ୍ୟ ପ୍ରକାଶ ପାଉଥିଲେ ରଚନା ରମଣୀୟ ହୁଏ । ସେଥିପାଇଁ ଗୋଟିଏ ସଙ୍ଗୀତରେ, ଋତୁ କାଳରେ ନାୟିକା ତିନୋଟି କରବୀର ବା କନିଅର ଫୁଲ ନାୟକ ଆଗକୁ ଫିଙ୍ଗିଥିବାର ଉପେନ୍ଦ୍ର ଲେଖିଅଛନ୍ତି–

 

“ଗଭାରୁ କରବୀର କୁସୁମ ତିନି

କାଢ଼ି ପକାଇ ଦେଲା ଘନ ଜଘନୀ ।”

 

କନିଅର ଫୁଲ ମୁଣ୍ଡରେ ଖୋଷିବା ଓ ତାହାକୁ ଫିଙ୍ଗିବାର ସାର୍ଥକତା କେହି କେହି ବୁଝିପାରନ୍ତି କାହିଁ । କନିଅର ଫୁଲର ମୁଖ ଖୋଲା ଓ ତହିଁରୁ ଯେଉଁ ଫଳ ଜନ୍ମେ ତାହା ବିଷାକ୍ତ । ଡିମ୍ବାଣୁର ଭିତର ପାଖର ବର୍ଣ୍ଣ ପରି କନିଅର ଫୁଲର ବର୍ଣ୍ଣ ହଳଦିଆ । ଜରାୟୁମୁଖ ଖୋଲାଥିବାବେଳର ସହବାସରେ ଅପକାରୀ ସନ୍ତାନ ଜାତ ହେବାର ସୂଚନା ଅଛି । ଏହି ଅର୍ଥର ସମର୍ଥନ ପାଇଁ ରାମାୟଣର ଚିତ୍ରକୂଟ-ଗିରିର ବର୍ଣ୍ଣନା ପାଠକେ ତୁଳନା କରି ପାରନ୍ତି । (ଅଯୋଧ୍ୟା କାଣ୍ଡରେ)

 

“କିନ୍ନରାଚରିତଂ ଦେଶଂ ପଶ୍ୟ ଶତ୍ରୁଘ୍ନ ପର୍ବତେ ।

ହୟୈଃ ସମନ୍ତାଦାକୀର୍ଣ୍ଣଂ ମକରୈରିବ ସାଗରମ୍ ।” ।୧୧।

ଏତେ ମୃଗଗଣା ଭାନ୍ତି ଶୀଘ୍ରବେଗାଃ ପ୍ରଚୋଦିତାଃ ।

ବାୟୁପ୍ରବିଦ୍ଧାଃ ଶରଦି ମେଘଜାଳାଃ ଇବାମ୍ବରେ ।୧୨।

କୁର୍ବନ୍ତି କୁସୁମାପୀଡ଼ାନ୍ ଶିରଃସୁ ସୁରଭୀନମୀ ।

ମେଘପ୍ରକାଶଶୈଃ ଫଳକେ ର୍ଦାକ୍ଷିଣାତ୍ୟା ନରା ଯଥା ।୧୩।

(୨ୟ, ୯୩)

“ଶୈଳପ୍ରସ୍ଥେକ୍ଷୁ ରମ୍ୟେଷୁ ପଶ୍ୟେମାନ୍ କାମହର୍ଷଣାନ୍ ।

କିନ୍ନରାନ୍ ଦ୍ୱନ୍ଦ୍ୱଶୋ ଭଦ୍ରେ ରମ୍ୟମାଣାନ୍ ମନସ୍ୱିନଃ ।୧୧।

(ଅ: କା: ୯୪)

 

ସାଗରରେ ମଗର ରହିବା ପରି ହୟ ବା ଘୋଡ଼ା ପରି ଲୋକ ଚିତ୍ରକୂଟରେ ପୂର୍ଣ୍ଣ ରହିଥିଲେ । ସେମାନେ ଘୋଡ଼ାମୁହାଁଙ୍କ ପରି ଆଚରଣ କରୁଅଛନ୍ତି । ଶରତ୍-କାଳରେ ପବନରେ ଆହତ ହୋଇ ଯେପରି ମେଘ ସମୂହ (ଇତସ୍ତତଃ) ହୁଅନ୍ତି ଏହି ମୃଗମାନେ ବା ନାରୀମାନେ ପ୍ରଚୋଦିତା ବା ତାଡ଼ିତା ହୋଇ ଶୀଘ୍ର ଗତି କଲାପରି ଜଣା ଯାଉଅଛନ୍ତି । ସେମାନେ (ଅମୀ) ମୁଣ୍ଡକୁ ସୁଗନ୍ଧଯୁକ୍ତ (ସୁରଭୀନ୍) ପୁଷ୍ପଭୂଷଣ (କୁସୁମାପୀଡ଼ାନ୍ କରନ୍ତି । ଦାକ୍ଷୀଣାତ୍ୟର ସେହି ଶ୍ରେଣୀର (ଅମୀ ଲୋକେ ବହୁତ୍ୱସୂଚକ (ମେଘପ୍ରକାଶଶୈଃ) ଫଳପ୍ରସବୀ ଡାଳଦ୍ୱାରା ଚମ୍ପକବର୍ଣ୍ଣା (ସୁରଭୀନ୍) ନାରୀଙ୍କୁ ରଜପୀଡ଼ା ନ ବାଧିବା ପାଇଁ (କୁସୁମ-ଅପୀଡ଼ାନ୍) ଯେପରିକି ମେଘପ୍ରକାଶ ବା ରେତକ୍ଷରଣର ଫଳକ ବା ଢାଲୁ ସ୍ୱରୂପ କରି ଥାନ୍ତି ।

 

ବେଦରେ ଯାହାଙ୍କୁ ଅଶ୍ୱିନ୍ କୁହାଯାଇ ଥିଲା ତାହାଙ୍କୁ ଏଠାରେ ହୟ ବା କିନ୍ନର ଅର୍ଥାତ୍ ଘୋଡ଼ା କୁହା ଯାଇଅଛି । ଏମାନେ କୁମାର ବା ଅବିବାହିତ ଥିବାରୁ ଅଶ୍ୱିନିକୁମାର ଔଷଧ ଆବିଷ୍କାର କରିଥିବାର ଅଶ୍ୱିନିକୁମାର-ସଂହିତାରେ ଉଲ୍ଲେଖ ଅଛି । ଏମାନେ ବୃକ୍ଷ ପୂଜା କରୁଥିବାରୁ ‘ଅମୀ’ ପଦର ଅର୍ଥ ବୃକ୍ଷ ବୋଲି ରାମାୟଣର ଟୀକାରେ ଉଲ୍ଲେଖ ଅଛି । ଘୋଡ଼ା ଶ୍ରେଣୀ ପୁରୁଷମାନେ ଚିତ୍ରକୂଟ-ଗିରିରେ ସୁଗନ୍ଧୀ ପୁଷ୍ପଭୂଷଣ ମୁଣ୍ଡରେ ଘେନି ନାରୀମାନଙ୍କୁ ଗୋଡ଼ାଉଥିଲେ । କିନ୍ତୁ ଦକ୍ଷିଣ ଦେଶରେ ଚମ୍ପକବର୍ଣ୍ଣା ନାରୀମାନଙ୍କୁ ରଜ-ସ୍ରାବ ଉତ୍ତାରୁ ଗର୍ଭଧାରଣ ଉପଯୁକ୍ତ ସମୟ ପର୍ଯ୍ୟନ୍ତ ବିରହ କ୍ଳେଶ ନ ବାଧିବା ସକାଶେ ସନ୍ତାନ-ପ୍ରସବ ପାଇଁ ରେତ-କ୍ଷରଣ ପ୍ରୟୋଜନୀୟ ବୋଲି ଶିଖାଇବା ଉଦ୍ଦେଶ୍ୟରେ ଫଳଥିବା ଡାଳ ସେହି ଘୋଡ଼ା ଶ୍ରେଣୀର ଲୋକେ ନାରୀର ମୁଣ୍ଡରେ ଖୋଷୁଥିଲେ । ରାମାୟଣର ପୁରାତନ ଟୀକାରେ କୁହାଯାଇଅଛି ଯେ ଦାକ୍ଷିଣାତ୍ୟରେ ବହୁଳ ପରିମାଣରେ ପଲାଶ ଥିଲେ । ବ୍ୟଭିଚାରିଣୀ ନାରୀର ପ୍ରତୀକ ସ୍ୱରୂପ ‘ପଲାଶ’ ରାମାୟଣରେ ବ୍ୟବହୃତ ହୋଇଅଛି । ଋତୁକାଳ ନିକଟ ହେଲେ ନାରୀମାନେ ମୁଣ୍ଡରେ କନିଅରଫୁଲ ଖୋଷିବାର ପ୍ରଥା ଏହି ଶତାବ୍ଦୀର ପ୍ରଥମ ଦଶକରେ ମଧ୍ୟ ପ୍ରଚଳିତ ଥିଲା । ରାମାୟଣର ବର୍ଣ୍ଣନା ସଙ୍ଗରେ ତୁଳନା କରି ଆମେ ବର୍ତ୍ତମାନ ବୁଝିପାରୁ ଅଛୁ ଯେ ଶିକ୍ଷା-ଲାଭ ପାଇଁ କନିଅର ଫୁଲ ମୁଣ୍ଡରେ ଖୋଷିବାର ପ୍ରଥା ପ୍ରଚଳିତ ଥିଲା । କାଳିଦାସ କୁମାରସମ୍ଭବରେ ଲେଖିଛନ୍ତି, “ବର୍ଣ୍ଣପ୍ରକର୍ଷେ ସତି କର୍ଣ୍ଣିକାରଂ।”

 

ବର୍ତ୍ତମାନ ପାଠକମାନଙ୍କ ପରିଚୟ ନିମନ୍ତେ କେତେ ଜଣ ପ୍ରଧାନ ପ୍ରଧାନ କବିଙ୍କର ଓ ସେମାନଙ୍କ କାବ୍ୟମାନଙ୍କର ନାମ ଉଲ୍ଲେଖ କରି ଏହି ପ୍ରବନ୍ଧର ଉପସଂହାର କରିବାକୁ ହେବ ।

 

ପୌରାଣିକ କାବ୍ୟ

 

(୧) ଧନଞ୍ଜୟ ଭଞ୍ଜ–ରଘୁନାଥ-ବିଳାସ। (୨) ଶିଶୁଶଙ୍କର ଦାସ–ଉଷାଭିଳାଷ । (୩) ଉପେନ୍ଦ୍ର ଭଞ୍ଜ–ଅବନାରସ-ତରଙ୍ଗ, ସୁଭଦ୍ରା ପରିଣୟ, ବ୍ରଜଲୀଳାମୃତ, ରାମଲୀଳାମୃତ, କୁଞ୍ଜବିହାର, ରାହାସଲୀଳା, କଳାକଉତୁକ ଓ ବୈଦେହୀଶ ବିଳାସ । (୪) ଲୋକନାଥ ଦାସ–ବୃନ୍ଦାବନ ବିହାର । (୫) ବ୍ରଜନାଥ ବଡ଼ଜେନା ଶ୍ୟାମରାସୋତ୍ସବ ଓ ଅମ୍ବିକାବିଳାସ । (୬) ନିଃଶଙ୍କ ରାୟରାଣୀ–ପଦ୍ମାବତୀ ଅଭିଳାଷ । (୭) ଯଦୁମଣି ମହାପାତ୍ର-ରାଘବବିଳାସ ଓ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର । (୮) ସଦାନନ୍ଦ କବିସୂର୍ଯ୍ୟବ୍ରହ୍ମା ଯୁଗଳରସାମୃତ ଲହରୀ । (୯) ଦୀନକୃଷ୍ଣ ଦାସ–ରସକଲ୍ଲୋଳ । (୧୦) ଅଭିମନ୍ୟୁ ସାମନ୍ତସିଂହାର–ବିଦଗ୍ଧ ଚିନ୍ତାମଣି ।

 

କାଳ୍ପନିକ କାବ୍ୟ

 

ଧନଞ୍ଜୟ ଭଞ୍ଜ–ରତ୍ନମଞ୍ଜରୀ, ମଦନ ମଞ୍ଜରୀ ଓ ଇଚ୍ଛାବତୀ (୨) ତ୍ରିବିକ୍ରମ ଭଞ୍ଜ–କନକଲତା । (୩) ଉପେନ୍ଦ୍ର ଭଞ୍ଜ–ହେମମଞ୍ଜରୀ, ଚିତ୍ରଲେଖା, ଲାବଣ୍ୟବତୀ, ରସଲେଖା, ରସିକ ହାରାବଳୀ, ସୁବର୍ଣ୍ଣ–ରେଖା, ପ୍ରେମସୁଧାନିଧି, କମକଳା, ମନୋରମା, ପ୍ରେମଲତା, ଭାବବତୀ, ମୁକ୍ତାବତୀ, ଇଚ୍ଛାବତୀ ଚନ୍ଦ୍ରରେଖା, କଳାବତୀ, ଶଶିରେଖା, ଶୋଭାବତୀ, ରସମଞ୍ଜରୀ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ତ୍ରୈଲୋକ୍ୟ ମୋହିନୀ, ଚନ୍ଦ୍ରଲେଖା ଓ ରସମଞ୍ଜରୀ । (୪) ଲୋକନାଥ ଦାସ-ଚିତ୍ରକାଳ ଓ ସର୍ବାଙ୍ଗସୁନ୍ଦରୀ । (୫) ପୁରୁଷୋତ୍ତମ ମାନଧାତା–ଶୋଭାବତୀ । (୬) ରଘୁନାଥ ଭଞ୍ଜ–ରସଲହରୀ । (୭) ବ୍ରଜନାଥ ବଡ଼ଜେନା–ବିଚକ୍ଷଣା ଓ ତ୍ରିଭୁବନ ସୁନ୍ଦରୀ । (୮) ବଳଦେବ ରଥ କବିସୂର୍ଯ୍ୟ ରାୟଗୁରୁ–ଚନ୍ଦ୍ରକଳା । (୯) ଘନ ଭଞ୍ଜ–ତ୍ରୈଲୋକ୍ୟ ମୋହିନୀ ଓ ରସନିଧି ।

 

ଉପରୋକ୍ତ କବିମାନଙ୍କ ଆବିର୍ଭାବ-କାଳ ସମ୍ବନ୍ଧରେ ପ୍ରମାଣ ଦର୍ଶାଇ ଏଠାରେ ଆଲୋଚନା କରିବା ପାଇଁ ସ୍ଥାନ ନାହିଁ । ରସକଲ୍ଲୋଳ ରଚୟିତା ଦୀନକୃଷ୍ଣ ଦାସ ଷୋଡ଼ଶ ଶତାବ୍ଦୀରେ ଆବିର୍ଭୂତ ହୋଇଥିଲେ ବୋଲି ଅନୁମାନ କରିବା ପାଇଁ ଅନେକ କାରଣ ଅଛି । ଧନଞ୍ଜୟ ଭଞ୍ଜ ଘୁମୁସରର ରାଜା ଥିଲେ ଓ ୧୭୦୧ ଖ୍ରୀଷ୍ଟାବ୍ଦରେ ତାହାଙ୍କର ମୃତ୍ୟୁ ଘଟିଥିଲା । ଉପେନ୍ଦ୍ର ଭଞ୍ଜ ତାହାଙ୍କର ନାତି ଥିଲେ ଓ ସେ ରସଲେଖା-କାବ୍ୟର ରଚନା ୧୭୧୬ ଖ୍ରୀଷ୍ଟାବ୍ଦରେ ଶେଷ କରିଥିଲେ । ଉପନ୍ଦ୍ରଙ୍କର ତ୍ରିବିକ୍ରମ ଭଞ୍ଜ ସହୋଦର ଭାଇ ଓ ଘନ ଭଞ୍ଜ ଧନଞ୍ଜୟ ଭଞ୍ଜଙ୍କର ଭ୍ରାତୁଷ୍ପୁତ୍ର । ରଘୁନାଥ ଭଞ୍ଜ ୧୭୨୮ରୁ ୧୭୫୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ମୟୂରଭଞ୍ଜର ରାଜାଥିଲେ । ପୁରୁଷତ୍ତମ ସିଂହ ମାନଧାତା ନାୟାଗଡ଼ର ରାଜା ଓ ଉପେନ୍ଦ୍ର ଭଞ୍ଜଙ୍କ ସମକାଳୀନ ଥିଲେ । ଭକ୍ତଚରଣ ଦାସ ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ଖୋର୍ଦ୍ଧା ଅଞ୍ଚଳରେ ଆବିର୍ଭୂତ ହୋଇଥିଲେ ବୋଲି ଅନୁମିତ ହୁଏ । ଲୋକନାଥ ଦାସ ୧୬୯୩ରୁ୧୭୨୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଜୀବିତ ଥିବାର ପ୍ରମାଣ ମିଳେ । ସେ ବୋଧହୁଏ ଖୋର୍ଦ୍ଧାର ଦକ୍ଷିଣ ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିଲେ । ଜରଡ଼ାରାଜାଙ୍କ କନ୍ୟା ଓ ବୁଢ଼ାରସିଂହର ରାଜା ନିଃଶଙ୍କ ରାୟଙ୍କ ରାଣୀ ୧୭୮୮ ଖ୍ରୀଷ୍ଟାବ୍ଦରେ ଜୀବିତ ଥିଲେ । ଅଭିମନ୍ୟୁ ସାମନ୍ତସିଂହାର ୧୭୫୭ ଖ୍ରୀଷ୍ଟାବ୍ଦରେ କଟକ ଜିଲାର ବିଲିଆ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କ ଜନ୍ମସ୍ଥାନ ନୟାଗଡ଼ର ଲଡ଼ୁକେଶ ମହାଦେବଙ୍କ ମନ୍ଦିର ନିକଟବର୍ତ୍ତୀ ଭିକାରିପଡ଼ା ଗ୍ରାମରେ । ସେ ଅଭିମନ୍ୟୁଙ୍କ ବାଲ୍ୟ-ଗୁରୁ ଥିବାରୁ ତାଙ୍କର ଜନ୍ମକାଳ ଅଷ୍ଟାଦଶ ଶତାବ୍ଦୀର ଦ୍ୱିତୀୟ ଦଶକର ପରବର୍ତ୍ତୀ ହୋଇ ନ ଥିବ ବୋଲି ଅନୁମାନ କରାଯାଇ ପାରେ । ବ୍ରଜନାଥ ବଡ଼ ଜେନା ୧୭୭୦ ରୁ ୧୭୯୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଜୀବିତ ଥିବାର ପ୍ରମାଣ ମିଳେ । ସେ ଢେଙ୍କାନାଳ ବାସୀ ଥିଲେ । ଯଦୁମଣି ଗଞ୍ଜାମ ଜିଲାର ଆଠଗଡ଼ ତାଲୁକାରୁ ଆସି ନୟାଗଡ଼ର ଇଟାମାଟି ଗ୍ରାମରେ ବାସ କରୁଥିଲେ । ସେ ନୟାଗଡ଼ର ରାଜା ବିନାୟକସିଂହଙ୍କ ସମକାଳୀନ ଥିଲେ ଓ ବିନାୟକ ସିଂହ ୧୮୩୩ ଖ୍ରୀଷ୍ଟାବ୍ଦରେ ଜୀବିତ ଥିବାର ପ୍ରମାଣ ଅଛି । ବଳଦେବ ରଥ କବିସୂର୍ଯ୍ୟ ୧୭୮୯ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରି ୧୮୪୫ ଖ୍ରୀଷ୍ଟାଦରେ ଇହଧାମ ତ୍ୟାଗ କରିଥିଲେ । ସେ ଯଦୁମଣିଙ୍କ ସମକାଳୀନ ଥଲେ । ଏଣୁ ଉଭୟଙ୍କ ଆବିର୍ଭାବ-କାଳ ସମ୍ବନ୍ଧରେ ସନ୍ଦେହ ରହେ ।

 

ପୌରାଣିକ କାବ୍ୟାମାନଙ୍କ ବିଷୟବସ୍ତୁ ସେମାନଙ୍କ ନାମରୁ ପାଠକେ ଅନୁମାନ କରିପାରୁଥିବେ । ରଘୁନାଥ ବିଳାସ, ରାଘବ ବିଳାସ, ବୈଦେହୀଶ ବିଳାସ, ରାମଲୀଳାମୃତ ପ୍ରଭୃତ କାବ୍ୟର ବିଷୟବସ୍ତୁ ରାମ-ଚରିତ ବୋଲି ଯେପରି ଜଣାଯାଏ କୁଞ୍ଜ-ବିହାର, ବୃନ୍ଦାବନ ବିହାର, ବ୍ରଜବିହାର, ଶ୍ୟାମରାସୋତ୍ସବ, ରାହାସ-ଲୀଳା ପ୍ରଭୃତିର ଶ୍ରୀକୃଷ୍ଣଙ୍କ ଗୋପ-ଲୀଳା ବିଷୟବସ୍ତୁ ବୋଲି ସେପରି ଜଣାଯାଏ । କିନ୍ତୁ କେତେକ କାବ୍ୟର ନାମରୁ ବିଷୟବସ୍ତୁ ଅନୁମାନ କରାଯାଇ ନ ପାରେ । ଅବନାରସତରଙ୍ଗରେ ରାମ ଚରିତ ବର୍ଣ୍ଣିତ ହୋଇଅଛି ବୋଲି ନାମ ଶୁଣି କେହି ଅନୁମାନ କରିପାରିବେ ନାହିଁ । ଏଥିରେ ବ୍ୟବହୃତ କୌଣସି ଶବ୍ଦର କୌଣସି ବ୍ୟଞ୍ଜନରେ ସ୍ୱରବର୍ଣ୍ଣ ଯୁକ୍ତ ହୋଇନାହିଁ । ଏଣୁ ଏହାକୁ ଅବନାରସତରଙ୍ଗ କୁହାଯାଇ ଅଛି । କାରଣ ବ୍ୟଞ୍ଜନରେ ସ୍ୱରର ଯୋଗକୁ ଆମ ଦେଶରେ ଆଗେ ବନା କହୁଥିଲେ । ଏହିପରି ରସକଲ୍ଲୋଳ ଓ ବିଦଗ୍ଧଚିନ୍ତାମଣିର ବିଷୟବସ୍ତୁ ଗୋପଲୀଳା ବୋଲି ଏହି କାବ୍ୟମାନ ନ ପଢ଼ିଥିବା ଲୋକ ଅନୁମାନ କରି ପାରିବେ ନାହିଁ । ଶ୍ରୀକୃଷ୍ଣଙ୍କ ରୁକ୍ମିଣୀଙ୍କ ସହିତ ବିବାହ ପ୍ରବନ୍ଧପୂର୍ଣ୍ଣଚନ୍ଦ୍ରର ବିଷୟବସ୍ତୁ । ଅର୍ଜ୍ଜୁନଙ୍କ ସହିତ ସୁଭଦ୍ରାଙ୍କ ବିବାହ ବିଷୟ ସୁଭଦ୍ରା ପରିଣୟରେ ବର୍ଣ୍ଣିତ ହୋଇଅଛି । ବାଣାସୁରର କନ୍ୟା ଉଷା ସହିତ ଅନିରୁଦ୍ଧର ବିବାହ ଉଷାଭିଳାଷର ବିଷୟବସ୍ତୁ ।

 

କାଳ୍ପନିକ କାବ୍ୟ ମାନ ଗୋଟିଏ ଛାଞ୍ଚରେ ଢଳା ବୋଲି ପୂର୍ବେ କୁହାଯାଇ ଅଛି । ଏହି କାବ୍ୟଶ୍ରେଣୀର ସାଧାରଣ ଲକ୍ଷଣ ମଧ୍ୟ ପୂର୍ବେ କୁହାଯାଇ ଅଛି । ଏଥିରେ ବିଷୟବସ୍ତୁ ସମ୍ବନ୍ଧରେ ପାଠକମାନଙ୍କ ଧାରଣା ଉପୁଜି ଥିବ । ନାୟକ-ନାୟିକାଙ୍କ ନାମ ଓ ସେମାନଙ୍କ ଦେଶର ନାମ ଛଡ଼ା ବିଷୟବସ୍ତୁମାନଙ୍କ ମଧ୍ୟରେ ଅନ୍ୟ କୌଣସି ବଡ଼ ପ୍ରଭେଦ ନାହିଁ । କୌଣସି କୌଣସି କାବ୍ୟରେ ନାୟିକାର ବନ ବିହାର ବା ନାୟକ-ନାୟିକାଙ୍କ ମଧ୍ୟରେ ଚିଠିର ଆଦାନ ପ୍ରଦାନ ନାହିଁ । କିନ୍ତୁ ଏହା ଦ୍ୱାରା ସାଧାରଣତଃ ପ୍ରଧାନ ବିଷୟବସ୍ତୁର କୌଣସି ପାର୍ଥକ୍ୟ ଘଟି ନାହିଁ ।

Image